ନୂଆଦିଲ୍ଲୀ: ଅନେକ ସମୟ ଧରି ଅଭିନେତ୍ରୀ ପୁନମ ପାଣ୍ଡେ କୌଣସି ଫିଲ୍ମ କିମ୍ବା ଟିଭି ଶୋ’ରେ ନଜରକୁ ଆସିନାହାନ୍ତି। ତେବେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଗୁଡ୍ନ୍ୟୁଜ୍ ସାମ୍ନାକୁ ଆସିଛି। ତାଙ୍କୁ ବଡ଼ ପରଦା କିମ୍ବା ଛୋଟ ପରଦାରେ ନୁହେଁ ବରଂ ଆଗାମୀ ଦଶହରାରେ ଆୟୋଜନ ହେବାକୁ ଥିବା ଦିଲ୍ଲୀର ପ୍ରସିଦ୍ଧ ଲବ-କୁଶ ରାମଲୀଳାରେ ପୁନମଙ୍କୁ ଦେଖିବାକୁ ମିଳିବ। ଏହି ରାମଲୀଳାରେ ସେ ରାବଣର ସ୍ତ୍ରୀ ମନ୍ଦୋନ୍ଦରୀଙ୍କ ଭୂମିକା ନିର୍ବାହ କରିବେ। ଅଭିନେତା ଆର୍ଯ୍ୟ ବର୍ବର ରାବଣ ଭୂମିକା ନିର୍ବାହ କରିବେ ବୋଲି ଜଣାପଡ଼ିଛି। ଦିଲ୍ଲୀର ପ୍ରସିଦ୍ଧ ଲବ-କୁଶ ରାମଲୀଳାରେ ଅଭିନୟ କରିବାର ସୁଯୋଗ ମିଳିଥିବାରୁ ପୁନମ ଖୁସି ପ୍ରକାଶ କରିଛନ୍ତି। ତାଙ୍କ ଟିମ୍ ପକ୍ଷରୁ ପୁନମଙ୍କ ଏକ ବିବୃତିକୁ ଜାରି କରାଯାଇଛି ଯେଉଁଥିରେ ସେ କହିଛନ୍ତି, ଲବ-କୁଶ ରାମଲୀଳା କମିଟି ନିକଟରେ କୃତଜ୍ଞ। ରାମଲୀଳା କେବଳ ଏକ ଧାର୍ମିକ କାର୍ଯ୍ୟକ୍ରମ ନୁହେଁ ବରଂ ଏହା ଭାରତୀୟ ସଂସ୍କୃତି ଏବଂ ପରମ୍ପରାର ଏକ ଉତ୍ସବ। ଏଥିରେ ଅଭିନୟ କରିବା ତାଙ୍କ ପାଇଁ ସୌଭାଗ୍ୟର ବିଷୟ ବୋଲି ପୁନମ କହିଛନ୍ତି।