ସୁନାବେଡା,୨୫ା୪(କୃତ୍ତିବାସ ପ୍ରଧାନ): ସରକାର ବସୁଧା ଯୋଜନାରେ ଗ୍ରାମାଞ୍ଚଳରେ ପାନୀୟ ଜଳର ସୁବିଧା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚକରି ପାଣି ଟାଙ୍କି ସହ ପମ୍ପ ହାଉସ କରିଥିଲେ ସୁଦ୍ଧା ଲୋକେ ସେଥିରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି।
ସୁନାବେଡ଼ା ପୌର ପରିଷଦ ସୀମାବର୍ତ୍ତୀ କୋରାପୁଟ ବ୍ଲକ୍ ପଦ୍ମପୁର ପଞ୍ଚାୟତର ଚଉଗାଁରେ ଏଭଳି ସମସ୍ୟା ଦେଖାଦେଇଛି। ଏହି ଗ୍ରାମ ପୌର ପରିଷଦର ନିକଟବର୍ତ୍ତୀ ହୋଇଥିଲେ ମଧ୍ୟ ତାହା କୋରାପୁଟ ବ୍ଲକ୍ ଅଧୀନରେ ରହିଛି। ଗାଁର ୩ ସାହିରେ ୧୯୦ ପରିବାରର ୬୦୦ରୁ ଊଦ୍ଧର୍ବ ଲୋକ ରୁହନ୍ତି।
ଗ୍ରାମରେ ବସୁଧା ଯୋଜନାରେ ୨୦୧୮-୧୯ ଆର୍ଥିକ ବର୍ଷରେ ୫୦ ହଜାର ଲିଟର ବିଶିଷ୍ଟ ଗୋଟିଏ ଟାଙ୍କି ସହ ପମ୍ପ ହାଉସ ସ୍ଥାପନ ହୋଇଥିଲା। କିନ୍ତୁ ବର୍ଷେ ହେବ ତାହା ଅଚଳ ହୋଇପଡ଼ିଛି। ଏ ନେଇ ବାରମ୍ବାର ବ୍ଲକ୍ ପ୍ରଶାସନକୁ ଅବଗତ କରି ଜନ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇ ନ ଥିବା ଗାଁର ମହିଳାମାନେ ଅଭିଯୋଗ କରିଛନ୍ତି।
ଗାଁରେ ପୂର୍ବରୁ ଥିବା ୨ଟି ନଳକୂଅ ମଧ୍ୟ ଅଚଳ ହୋଇପଡିଛି। ଲୋକେ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗାଁଠାରୁ ୨ କି.ମି ଦୂର ଝରଣା କିମ୍ବା ଦାମନଯୋଡି ନାଲ୍କୋ କମ୍ପାନୀକୁ ଯାଇଥିବା ଫଟାପାଇପରୁ ପାଣି ଆଣୁଥିବା ମହିଳାମାନେ କହିଛନ୍ତି। ମାଟି ପାଣି ଆସୁଥିବାରୁ ତାହା ପିଇବା ଉପଯୋଗୀ ହେଉ ନ ଥିବା ଓ ତାହାକୁ ବ୍ୟବହାର କଲେ ଚର୍ମରୋଗ ହେଉଥିବା ସେମାନେ କହିଛନ୍ତି। ସରକାର ତଥା ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ ମହିଳାମାନେ ଦାବି କରିଛନ୍ତି। ଏଥିସହ ଗାଁରେ ୫ ସୋଲାର ଲାଇଟ୍ ଲାଗିଥିବା ବେଳେ ତାହା ମଧ୍ୟ ଅଚଳ ହୋଇ ରହିଛି।
ଏ ସମ୍ପର୍କରେ ଆର୍ଡବ୍ଲ୍ୟୁଏସ୍ଏସ୍ ଅଧୀକ୍ଷଣ ଯନ୍ତ୍ରୀ ଜଗନ୍ନାଥ ଚୌଧୁରୀଙ୍କୁ ପଚାରିବାରୁ ତାଙ୍କ ପାଖରେ କୌଣସି ଅଭିଯୋଗ ହୋଇ ନ ଥିବା କହିଛନ୍ତି। ତଥାପି ତଦନ୍ତ କରି ସମସ୍ୟାର ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।