Categories: Home Leftଖେଳ

ଭାରତର ବିଜୟ ଲାଗି ଚାଲିଛି ପୂଜାପାଠ: ମ୍ୟାଚକୁ ନେଇ ଉତ୍ସାହିତ ପ୍ରଶଂସକ

ଭୁବନେଶ୍ୱର,୪।୩: ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ICC ଚାମ୍ପିୟନ୍ସ ଟ୍ରଫିରେ ସେମିଫାଇନାଲ ମ୍ୟାଚ ପୂର୍ବରୁ କ୍ରିକେଟ ପ୍ରଶଂସକମାନେ ଭାରତୀୟ ଦଳର ବିଜୟ କାମନା କରି ପୂଜାର୍ଚ୍ଚନା କରୁଛନ୍ତି। ଏପରିକି କେତେକ ସ୍ଥାନରେ ହୋମ ଯଜ୍ଞ କରାଯାଉଛି। ମ୍ୟାଚକୁ ନେଇ ପ୍ରଶଂସକ ବେଶ୍‌ ଉତ୍ସାହିତ ଥିବାବେଳେ ନିଜ ପ୍ରିୟ ଖେଳାଳିଙ୍କୁ ଶୁଭକାମନା ଜଣାଉଛନ୍ତି। ଭାରତ ସେମିଫାଇନାଲ ମ୍ୟାଚରେ ନିଶ୍ଚିତ ବିଜୟୀ ହେବ ବୋଲି ଅଶାବ୍ୟକ୍ତି କରିଛନ୍ତି।

ଅନ୍ୟପକ୍ଷେ ଉଭୟ ଦଳ ସେମାନଙ୍କ ଗ୍ରୁପରେ ଅପରାଜେୟ ରହି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଭାରତ ତା’ର ୩ରୁ ୩ ମ୍ୟାଚ ଜିତିଥିବା ବେଳେ ଅଷ୍ଟ୍ରେଲିଆ କେବଳ ଗୋଟିଏ ମ୍ୟାଚ ଜିତିଥିଲା। ଅନ୍ୟ ଦୁଇଟି ମ୍ୟାଚ ବର୍ଷାରେ ଧୋଇ ଯାଇଥିଲା।

ଦୁଇ ଦଳ ଆଇସିସି ଟୁର୍ନାମେଣ୍ଟର ନକ୍‌ଆଉଟ ପର୍ଯ୍ୟାୟରେ ପରସ୍ପରକୁ ୫ ଥର ଭେଟିଛନ୍ତି। ଏଥିରୁ ଭାରତ ଦୁଇ ଥର ଜିତିଥିବା ବେଳେ ଅଷ୍ଟ୍ରେଲିଆ ୩ ଥର ବାଜିମାତ କରିଛି। ଭାରତ ଅନ୍ତିମ ଥର ୨୦୧୧ ବିଶ୍ୱକପ କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇଥିଲା।

୨୦୧୫ ବିଶ୍ୱକପ ସେମିଫାଇନାଲରେ ଓ ୨୦୨୩ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ଭାରତ ପରାଜିତ ହୋଇଥିଲା। ଏଥିପୂର୍ବରୁ ୨୦୨୩ ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ମଧ୍ୟ ଭାରତକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା। କିନ୍ତୁ ଭାରତୀୟ ଦଳ ପାଖରେ ଅଷ୍ଟ୍ରେଲିଆକୁ ଚଳିତ ଥର ଆଇସିସି ଟୁର୍ନାମେଣ୍ଟର ନକଆଉଟରେ ପରାସ୍ତ କରିବାର ଭଲ ସୁଯୋଗ ରହିଛି।

Share