ଜାପାନକୁ ଅତିକ୍ରମ କରି ଭାରତ ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତିରେ ପରିଣତ ହୋଇଛି ବୋଲି ଗତ ମେ’ ୨୪ ତାରିଖରେ ନୀତି ଆୟୋଗର ୧୦ମ ଗଭର୍ନିଂ କାଉନସିଲ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେବାକୁ ଯାଇ ଏହା କହିଥିଲେ ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବି.ଭି.ଆର୍. ସୁବ୍ରମଣ୍ୟମ୍ । ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍)ର ଅନୁମାନ ଆଧାରରେ ସେ ଏଭଳି କହିବା ପରେ ଦେଶପ୍ରେମୀ ଉତ୍ଫୁଲ୍ଲିତ ହୋଇଥିଲେ। ଦେଖିବାକୁ ଗଲେ ୨୦୨୪ରେ ଆଇଏମ୍ଏଫ୍ ପକ୍ଷରୁ ବିଭିନ୍ନ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ନେଇ ଏକ ଆକଳନ କରାଯାଇଥିଲା। ସେହି ଅନୁଯାୟୀ କୁହାଯାଇଥିଲା ଯେ, ଭାରତର ଜିଡିପି ୨୦୨୫ ସୁଦ୍ଧା ୪,୧୮୭.୦୩ ବିଲିୟନ ଆମେରିକୀୟ ଡଲାର ହୋଇପାରେ, ଯାହା ଜାପାନର ଜିଡିପି ୪,୧୮୬.୪୩ ବିଲିୟନ ଆମେରିକୀୟ ଡଲାରଠାରୁ ସାମାନ୍ୟ ଅଧିକ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜାପାନର ଜନସଂଖ୍ୟା ୨୦୨୩ ସୁଦ୍ଧା ୧୨ କୋଟି ୪୫ ଲକ୍ଷ ହୋଇଥିବା ବେଳେ ମୋଟ କ୍ଷେତ୍ର ୩,୭୭,୯୯୭ ବର୍ଗ କିଲୋମିଟର। ତା’ ତୁଳନାରେ ଭାରତର ଜନସଂଖ୍ୟା ୧୨ ଗୁଣାରୁ ଅଧିକ ହେଇଥିବା ବେଳେ ସମୁଦାୟ କ୍ଷେତ୍ର ୩,୨୮୭,୨୬୩ ବର୍ଗ କିଲୋମିଟର। ଗୋଟେ ଆକଳନକୁ ସତ ଭାବେ ଧରି ନିଆଯାଇ ଉପରଲିଖିତ ସରକାରୀ ଅଧିକାରୀ କହିଦେଲେ ଯେ, ଭାରତ ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ହୋଇଗଲା। ପରବର୍ତ୍ତୀ ସମୟରେ ଏହାର ସତ୍ୟାସତ୍ୟ ଜଣାପଡ଼ିଲା। ଅନେକେ କହିବା ଆରମ୍ଭ କଲେ ଯେ, ବିଶ୍ୱର ୪ର୍ଥ ସର୍ବବୃହତ୍ ଅର୍ଥନୀତି ବୋଲି ଭାରତ ସରକାର ଡିଣ୍ଡିମ ପିଟୁଥିବା ବେଳେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ ୮୧ କୋଟି ୩୫ ଲକ୍ଷ ଲୋକଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯିବା ବିରୋଧାଭାସ ସୃଷ୍ଟି କରୁଛି। ଦେଖିବାକୁ ଗଲେ ଯେତେବେଳେ ଗୋଟେ ଦେଶରେ ଅର୍ଦ୍ଧାଧିକ ଲୋକଙ୍କୁ ଗରିବ ଦର୍ଶାଯାଇ ସେମାନଙ୍କୁ ସର୍ବନିମ୍ନ ଖାଦ୍ୟଶସ୍ୟ ଦିଆଯାଉଛି, ସେତେବେଳେ ବିଶ୍ୱସ୍ତରରେ ଏହାର ଅର୍ଥନୀତି ସୁଦୃଢ଼ କହିବା ହାସ୍ୟାସ୍ପଦ। ଏହା କହିଲା ବେଳେ ଆମେ ସଚେତନ ଯେ, ଗଣତନ୍ତ୍ରରେ ଲୋକଙ୍କୁ ଖାଦ୍ୟ ଭଳି ମୌଳିକ ଆବଶ୍ୟକତା ପୂରଣ କରିବା ସରକାରଙ୍କ ଦାୟିତ୍ୱ। ତେବେ ଏହି ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକରେ ମଧ୍ୟ ସ୍ବଚ୍ଛତା ବଜାୟ ରଖି ହେଉନାହିଁ। ତଥାପି ବି.ଭି.ଆର୍. ସୁବ୍ରମଣ୍ୟମ୍ଙ୍କ ମନ୍ତବ୍ୟ ପରେ ଦେଶବ୍ୟାପୀ ଭାରତୀୟ ଅର୍ଥନୀତିର ପ୍ରକୃତ ସ୍ଥିତି ଉପରେ ଗୋଟେ ଆଲୋଚନା ଓ ଚର୍ଚ୍ଚା ହୋଇଗଲା।
ଏବେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ନିଜ ଅଞ୍ଚଳ ନାଗପୁରରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ଦେଶରେ ଗରିବଙ୍କ ସଂଖ୍ୟା ବଢ଼ୁଥିବା ବେଳେ ହାତଗଣତିଙ୍କ ପାଖରେ ପର୍ଯ୍ୟାପ୍ତ ଧନ ଠୁଳ ହୋଇ ରହିଛି। ଧନ ବିକେନ୍ଦ୍ରୀକରଣ ନ ହେଲେ ଅର୍ଥନୀତିରେ ଉନ୍ନତି ଆସିପାରିବ ନାହିଁ। ନିଯୁକ୍ତି ସୃଷ୍ଟି ସହ ଗ୍ରାମାଞ୍ଚଳର ବିକାଶ ହେଲେ ଯାଇ ଅର୍ଥନୀତି ସୁଦୃଢ଼ ହେବ ବୋଲି ସେ କହିଛନ୍ତି। ଏହି ଅବସରରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ଏବଂ ମନମୋହନ ସିଂଙ୍କ ମୁକ୍ତ ଅର୍ଥନୀତିକୁ ପ୍ରଶଂସା କରିଥିଲେ। ଭାରତୀୟ ଅର୍ଥନୈତିକ ଢାଞ୍ଚାରେ ଜିଡିପିକୁ କ୍ଷେତ୍ରସ୍ତରୀୟ ଯୋଗଦାନରେ ଅସନ୍ତୁଳନ ବଢ଼ୁଥିବା ବିଷୟକୁ ସେ ଦର୍ଶାଇବାକୁ ଯାଇ କିଛି ଉଦାହରଣ ଦେଇଛନ୍ତି। ଜିଡିପି ଅଭିବୃଦ୍ଧିରେ ନିର୍ମାଣ କ୍ଷେତ୍ରର ଯୋଗଦାନ ୨୨ରୁ ୨୪ ପ୍ରତିଶତ, ସେବା କ୍ଷେତ୍ରର ୫୨ରୁ ୫୪ ପ୍ରତିଶତ ରହୁଥିବା ବେଳେ ଗ୍ରାମାଞ୍ଚଳର ପ୍ରାୟ ୬୫ରୁ ୭୦ ପ୍ରତିଶତ କୃଷିରେ ନିୟୋଜିତ ହୋଇଥିଲେ ମଧ୍ୟ ସେମାନଙ୍କ ଅବଦାନ ମାତ୍ର ୧୨ ପ୍ରତିଶତ ରହୁଥିବାରୁ ଗଡକରୀ ଉଦ୍ବେଗ ପ୍ରକାଶ କରିଛନ୍ତି।
କୃଷିପ୍ରଧାନ ଦେଶ ଭାରତରେ ଏହି କ୍ଷେତ୍ର ଅଣଦେଖା ରହିବା ଓ ସାମଗ୍ରିକ ଭାବେ ନିଯୁକ୍ତି ହାର ବୃଦ୍ଧି ପାଉ ନ ଥିବା ଦେଖାଯାଉଛି। କିନ୍ତୁ ସେହି ଦିଗରେ ବିଧିବଦ୍ଧ ପଦକ୍ଷେପ ନିଆଯାଇପାରୁ ନ ଥିବାରୁ ଭାରତୀୟ ଅର୍ଥନୀତିରେ ଉନ୍ନତି ଆସିପାରୁ ନାହିଁ। ଓଡ଼ିଶାରେ ମଧ୍ୟ ଜଳସେଚନ ଓ ଶୀତଳଭଣ୍ଡାର ଭଳି ଭିତ୍ତିଭୂମି ଅଭାବ ପରିଲକ୍ଷିତ ହେଉଛି। ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଅଧିକ ଲୋକ ନିୟୋଜିତ ହେଉଥିବା କୃଷି କ୍ଷେତ୍ରକୁ ଆକର୍ଷଣୀୟ କରାଯାଇପାରିଲେ ତାହା ଅର୍ଥନୀତି ଅଭିବୃଦ୍ଧିରେ ବିଶେଷ ସହାୟକ ହୋଇପାରନ୍ତା। ଏଥିସହ କୃଷି କ୍ଷେତ୍ର ଯେହେତୁ ବେଶି ଲୋକଙ୍କୁ ନିୟୋଜିତ କରୁଛି, ସେଥିରେ ସବୁଠାରୁ ଅଧିକ ସରକାରୀ କଳ, କୌଶଳ ଓ ଅର୍ଥ ବିନିଯୋଗ ହେବା ଆବଶ୍ୟକ। ଭାରତୀୟ ଅର୍ଥନୀତିର ସ୍ଥିତି ଓ ଗରିବଙ୍କ ସଂଖ୍ୟା ବୃଦ୍ଧି ନେଇ ଜଣେ ବରିଷ୍ଠ କେନ୍ଦ୍ରମନ୍ତ୍ରୀ ଭାବେ ଗଡ଼କରୀ ଶଙ୍କା ବ୍ୟକ୍ତ କରିବା ସୂଚାଉଛି ଯେ ଅର୍ଥନୀତି ବ୍ୟବସ୍ଥାରେ କେଉଁଠି ଗଡ଼ବଡ଼ ରହିଯାଉଛି। ମନେହେଉଛି ଯେପରି ଭାରତରେ ଅର୍ଥ ବ୍ୟବସ୍ଥା ସମ୍ପର୍କରେ କୌଣସି ଦୃଢ଼ ନୀତି ସୃଷ୍ଟି କରାଯାଇପାରୁ ନାହିଁ। କାରଣ ରାଜନୈତିକ ସ୍ତରରେ ସେଭଳି ଦିଗ ପ୍ରତି ଜ୍ଞାନ ନାହିଁ ଏବଂ ଭାରତରେ ଥିବା ତଥାକଥିତ ଅର୍ଥନୀତିଜ୍ଞମାନେ ବାସ୍ତବତା ଜାଣିନାହାନ୍ତି। ସେମାନେ କେବଳ ସରକାରୀ ଚାକିରିଆ ଭାବେ ଅର୍ଥନୀତିଜ୍ଞ ବୋଲାଉଛନ୍ତି। ଆଜି ନୁହେଁ, ଅନେକ ବର୍ଷ ହେବ ଭାରତରେ ସରକାରୀ ପରିସଂଖ୍ୟାନକୁ ଲୋକଙ୍କ ଅବିଶ୍ୱାସ ରହିଆସିଛି। ସେହି କାରଣରୁ ଅଧିକାଂଶ କ୍ଷେତ୍ରରେ ତଥ୍ୟ ଦର୍ଶାଇଲା ବେଳକୁ ବିଶେଷକରି ଲେଖାଯାଏ ‘ସରକାରୀ ସୂତ୍ରରୁ ଓ ବେସରକାରୀ ସୂତ୍ରରୁ’ ଆକଳନ। ସରକାର ଗରିବଙ୍କ ସଂଖ୍ୟା କମୁଛି ବୋଲି କହିଲା ବେଳକୁ ଗଡକରୀଙ୍କ ବିପରୀତ ଦିଗ ଉପରେ ଚିନ୍ତା ପ୍ରକଟ କରିବା ସେହି ବିରୋଧାଭାସକୁ ସ୍ପଷ୍ଟ କରୁଛି।