ରିଷିଡ଼ା,୨୯ା୯ (ସୁଶାନ୍ତ ମଲ୍ଲିକ: କର୍ଲାମୁଣ୍ଡା ବ୍ଲକ୍ର ରିଷିଡ଼ାଠାରେ ସାର୍ବଜନନୀ ଶାରଦୀୟ ଦୁର୍ଗାପୂଜା ଏଥର ୬୬ବର୍ଷରେ ପଦାର୍ପଣ କରିଛି। ୧୯୬୦ରେ ତତ୍କାଳୀନ ରିଷିଡ଼ା ଫାଣ୍ଡି ଅଧିକାରୀ ମାଧବ ଚୌଧୁରୀଙ୍କ ପ୍ରୋତ୍ସାହନରେ ଗ୍ରାମର ଗୌନ୍ତିଆ ଓ ଗାଁ ମୁଖିଆମାନେ ଦୁର୍ଗାପୂଜା ଆରମ୍ଭ କରିଥିଲେ। ସେତେବେଳେ ଆଖପାଖରେ ଦୁର୍ଗାପୂଜା ହେଉ ନ ଥିବାରୁ ବହୁ ଦୂରଦୂରାନ୍ତରୁ ଶଗଡ଼ ଗାଡ଼ିରେ ଆସି ଲୋକେ ରାତ୍ରକାଳୀନ ମନୋରଞ୍ଜନ କାର୍ଯ୍ୟକ୍ରମ ଉପଭୋଗ କରୁଥିଲେ। ସମୟାନ୍ତରେ ସାମାଜିକ ନାଟକ, ଅର୍କେଷ୍ଟ୍ରା, ଦଣ୍ଡନୃତ୍ୟ, ବୈଠକୀ କୀର୍ତ୍ତନ ମନୋରଞ୍ଜନ ମାଧ୍ୟମ ପାଲିଟିଯାଇଛି। ଏଥର ରାବଣପୋଡ଼ିକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଜୋର୍ଦାର ପ୍ରସ୍ତୁତି ଚାଲିଛି। ଏହି ବର୍ଷ ମନୋରଞ୍ଜନ କାର୍ଯ୍ୟକ୍ରମରେ ମହିଳା ଦଣ୍ଡନୃତ୍ୟ, ଅର୍କେଷ୍ଟ୍ରା, ମହିଷମର୍ଦ୍ଦିନୀ, ଲକ୍ଷ୍ମୀ ସୁଆଙ୍ଗ ପରିବେଷଣ ହେବାକୁ ଥିବାବେଳେ ଭସାଣି ଦିନ ଦୁଲ୍ଦୁଲି ବାଦ୍ୟ ପରିବେଷଣ ହେବ ବୋଲି କମିଟି ସୂଚନା ଦେଇଛି। ପୂଜା କମିଟି ସଭାପତି ଅଶୋକ କୁମାର ତ୍ରିପାଠୀ, ଉପସଭାପତି ନରୋତ୍ତମ ସେଲେମା,ସମ୍ପାଦକ ଦୁଷ୍ମନ୍ତ ଲେଙ୍କା, ସହସମ୍ପାଦକ ରଞ୍ଜନ କୁମାର ନାଏକ ପରିଚାଳନା ଦାୟିତ୍ୱ ତୁଲାଉଛନ୍ତି।