ବରଗଡ଼,୧୦।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର- ଭେଡେନ ରାସ୍ତା ଏବଂ ଏହି ରାସ୍ତାରୁ ରେଳ ଷ୍ଟେଶନକୁ ସଂଯୋଗ କରୁଥିବା ରାସ୍ତାର ଦୁରାବସ୍ଥା ନେଇ ଅସନ୍ତୋଷ ତେଜି ଉଠିଛି।ଏହି ସମସ୍ୟା ସ୍ଥାନୀୟ ଜନ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ ଆଖିରେ ପଡୁଥିବା ସତ୍ତ୍ବେ ରାସ୍ତାର ଉନ୍ନତିକରଣ କିମ୍ବା ସମସ୍ୟାର ସମାଧାନ ହେଉ ନଥିବାରୁ ଜନ ଅସନ୍ତୋଷ ଆନ୍ଦୋଳନ ରୂପ ନେଇଛି। ଏହି କ୍ରମରେ ଗୁରୁବାର ସ୍ଥାନୀୟ ଲୋକେ ବରଗଡ଼ – ଭେଡେନ ରାସ୍ତାର ଗଣେଶ ମନ୍ଦିର ଛକରେ ରାସ୍ତାରୋକୋ କରିଥିଲେ। ଫଳରେ ରାସ୍ତାରେ ଯାତାୟାତ ଠପ ପଡ଼ି ଯାଇଥିଲା। ରାସ୍ତାର ଉଭୟ ପାଶର୍ବରେ ଅନେକ ଗାଡ଼ି ଅଟକ ରହିଥିଲା। ଖବର ପାଇ ବରଗଡ଼ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ ଏବଂ ବିଭାଗୀୟ ଅଧିକାରୀ ପହଞ୍ଚି ସମସ୍ୟାର ସମାଧାନ ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଆନ୍ଦୋଳନ ହଟିଥିଲା ଏବଂ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା।