କେସିଙ୍ଗା,୮।୮(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକରେ ଥିବା ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ରରେ ପୋଷଣ ଟ୍ରାକ ଏଫଆରଏସରେ ହେଉଥିବା ସମସ୍ୟା ସହ ଅନ୍ୟ ସମସ୍ୟାର ସମାଧାନ ପାଇଁ ଅଙ୍ଗନଓ୍ବାଡି କର୍ମୀମାନେ ବିଡ଼ିଓ, ସିଡିପିଓଙ୍କ ମାଧ୍ୟମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଆଲ ଓଡ଼ିଶା ଅଙ୍ଗନଓ୍ବାଡି ଲେଡିସ ୱାର୍କର୍ସ ଆସୋସିଏସନ ରାଜ୍ୟ ସଂଘ ନିଷ୍ପତ୍ତି ଅନୁସାରେ କେସିଙ୍ଗା ବ୍ଳକ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘର ସଭାନେତ୍ରୀ ବସନ୍ତ ପାଢ଼ୀଙ୍କ ମିଳିତ ଉଦ୍ୟମରେ ଦାବିପତ୍ର ପ୍ରଦାନ କରାଯାଇଛି।
ପୋଷଣ ଟ୍ରାକରେ ଏଫଆରଏସରେ ବିଭିନ୍ନ ନେଟୱାର୍କ ସମସ୍ୟା, ଉନ୍ନତମାନର ମୋବାଇଲ ପ୍ରଦାନ, ଆଧାର ସହିତ ମୋବାଇଲ ଲିଙ୍କ, ଫଟୋ ମିସ୍ମ୍ୟାଚ୍ ହେବା, ନେଟୱାର୍କ ପାଇଁ ସୁବ୍ୟବସ୍ଥା କରିବା, ତିନି ମାସକୁ ରିଚାର୍ଚ୍ଚ ବାବଦକୁ ୯ ଶହ ଟଙ୍କା ଦେବା, ୬ ମାସକୁ ଥରେ ଫେସ କ୍ୟାପଚର କରିବା ପାଇଁ ବିଭାଗୀୟ ପକ୍ଷରୁ ଆଦେଶ ଦେବା, ପ୍ରତି ଶନିବାରରେ କିଶୋରୀ ବାଳିକାଙ୍କୁ ଦୁଇଟି ସିଝା ଅଣ୍ଡା ଓ କଞ୍ଚା ଅଣ୍ଡା ପ୍ରଦାନ କରିବା,ଜାଳେଣି କାଠର ଖର୍ଚ୍ଚ କେଉଁ ଅର୍ଥରୁ ଖର୍ଚ୍ଚ କରାଯିବ ତାହା ସ୍ପଷ୍ଟ କରିବା, ପ୍ରତି ବ୍ଳକରେ ନିରାକରଣ କମିଟି ଗଠନ କରିବାକୁ ଜିଲାପାଳଙ୍କୁ ଆଦେଶ ଦେବା, ହିତାଧିକାରୀଙ୍କୁ ଉନ୍ନତମାନର ଖାଦ୍ୟ ଯୋଗାଇଦେବା, ଉନ୍ନତମାନର ଅଙ୍ଗନବାଡି କେନ୍ଦ୍ର ଓ ଶୌଚାଳୟ ନିର୍ମାଣ କରିବା ଓ ପାନୀୟଜଳର ବ୍ୟବସ୍ଥା କରିବା, ମୃତ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ମାନଙ୍କୁ ତୁରନ୍ତ ସହାୟକ ରାଶି ପ୍ରଦାନ କରିବା, କେସିଙ୍ଗା ବ୍ଳକରେ ତିନି ଜଣ ଅଙ୍ଗନଓ୍ବାଡି କର୍ମୀ ମୃତ୍ୟୁକୁ ତିନି ବର୍ଷ ବିତିଯାଇଥିଲେ ସୁଦ୍ଧା ରାଜ୍ୟ ସରକାର ସହାୟତା ରାଶି ପ୍ରଦାନ କରା ଯାଇନାହଁି । ମୃତଙ୍କ ପରିବାରରୁ ଜଣଙ୍କୁ ଅଙ୍ଗନବାଡି ପଦବୀ ନିଯୁକ୍ତି ଦେବାକୁ ଦାବି କରିଛନ୍ତି। ଏଭଳି ବହୁ ସମସ୍ୟାର ସମାଧାନ ପାଇଁ ଅଙ୍ଗନବାଡି କର୍ମୀମାନେ ଉପମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।
ଅଲ ଓଡ଼ିଶା ଅଙ୍ଗନଓ୍ବାଡି ଲେଡିଜ ଓ୍ବାର୍କର୍ସ ଆସୋସିଏସନ ସଂଲଗ୍ନ ଭାରତୀୟ ମଜଦୁର ସଂଘ କେସିଙ୍ଗା ଶାଖାର ସଭାନେତ୍ରୀ ବସନ୍ତ ପାଢ଼ୀଙ୍କ ସମେତ ବ୍ଳକର ୧୯୫ ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ସହରରେ ଶୋଭାଯାତ୍ରାରେ ବାହାରି ବ୍ଲକର ବିଡ଼ିଓ,ସିଡିପିଓଙ୍କ କାର୍ଯ୍ୟାଳୟକୁ ଯାଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।ଯଦି ଏହି ସବୁ ସମସ୍ୟାର ସମାଧାନ ଯଥାଶୀଘ୍ର ନ ହୁଏ ତେବେ ବ୍ଳକର ସମସ୍ତ ଅଙ୍ଗନବାଡି କର୍ମୀମାନେ ଆନ୍ଦୋଳନ କରିବାକୁ ପଛାଇବେ ନାହିଁ ବୋଲି କେସିଙ୍ଗା ବ୍ଲକ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଙ୍ଘର ସଭାନେତ୍ରୀ ବସନ୍ତ ପାଢ଼ୀ ଚେତାବନୀ ଦେଇଛନ୍ତି।