ବିଧାୟିକା, ଅଧ୍ୟକ୍ଷଙ୍କ ପୁତ୍ତଳିକା ପୋଡ଼ି ବିକ୍ଷୋଭ: ଭାଜପା କହିଲା ଗୁଣ୍ଡାରାଜ କଥା ଆସିଲାବେଳକୁ ବିଜେଡି…

କେସିଙ୍ଗା,୩୧।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ନର୍ଲା ନିର୍ବାଚନମଣ୍ଡଳୀର ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ତଥା ନର୍ଲା ବ୍ଲକ ଭାରପ୍ରାପ୍ତ ଅଧ୍ୟକ୍ଷ ମୁନା ମହାନ୍ତି ତହସିଲଦାରଙ୍କୁ ଧମକ ଦେବା ଘଟଣାରେ ବିକ୍ଷୋପ। ସୋମବାର କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ନେତୃତ୍ୱରେ ଏବଂ ଭାଜପା ପକ୍ଷରୁ କେସିଙ୍ଗା ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ବିଧାୟିକା ଏବଂ ତାଙ୍କ ସ୍ବାମୀଙ୍କ ପୁତ୍ତଳିକା ପୋଡ଼ିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ଆଇନ ଅନୁସାରେ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ କହିଥିବାବେଳେ ବର୍ତ୍ତମାନ କାହିଁକି ତାଙ୍କ ବ୍ଲକ ଅଧ୍ୟକ୍ଷଙ୍କ ଗୁଣ୍ଡାରାଜ କଥା ଆସିଲାବେଳକୁ ବିଜେଡି ପୋଲିସ ଉପରେ ଚାପ ସୃଷ୍ଟି କରୁଛି ବୋଲି ଭାଜପା ପକ୍ଷରୁ କୁହାଯାଉଛି। ଯଦି ବ୍ଲକ ଭାରପ୍ରାପ୍ତ ଅଧ୍ୟକ୍ଷ କିଛି କରିନାହାନ୍ତି ତା’ହେଲେ ଲୁଚୁଛନ୍ତି କାହିଁକି ବୋଲି ପ୍ରଶ୍ନ କରିବା ସହିତ ଲୋକଙ୍କୁ ଫୋନରେ ଧମକାଇବାର ଅଭ୍ୟାସ ଏବଂ ପୂର୍ବରୁ କେସିଙ୍ଗା ଥାନାରେ ମାମଲା ଅଛି ବୋଲି କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ଦାବି କରିଛନ୍ତି ।
ଏଣୁ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍‌ ବୋଲି ସେ କହିଛନ୍ତି। ଏହି ବିକ୍ଷୋଭରେ ପୂର୍ବତନ ଏନଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର, ସମିତିସଭ୍ୟ ପ୍ରତାପ ବାଗ, ଶଶାଙ୍କ ମହଲା, ବଇଁଶୀ ସାହା, ନିତ୍ୟାନନ୍ଦ ସାହୁ, ଟାଉନ ସଭାପତି ପିଙ୍କୁ ପରିଡ଼ା, ସାଧାରଣ ସମ୍ପାଦକ ଯୁଗଲ ଦୀପ, ତୁଣ୍ଡଲା ସରପଞ୍ଚ ସରୋଜ ସେଠ, ସୁନୀଲ ଜୈନ, ପ୍ରିତେଶ ପଟେଲ, ବହୁ ସରପଞ୍ଚ ଓ ସମିତି ଉପସ୍ଥିତ ଥିଲେ। ତେବେ ଏହି ଘଟଣାକୁ ନେଇ ବର୍ତ୍ତମାନ ବିଜେଡି ଓ ଭାଜପା ମୁହାଁମୁହିଁ ହେବାର ବହୁ ସମ୍ଭାବନା ରହିଛି ଭାଜପା ପକ୍ଷରୁ ଜଣାପଡ଼ିଛି।

aritri – Odisha’s No.1 Odia Daily

Share