ଦାରିଙ୍ଗବାଡ଼ି,୨୬ା୪ (ଅରୁଣ ସାହୁ): ଆମକୁ ଖଣି ନୁହଁ ଜଳ, ଜଙ୍ଗଲ ଓ ପରିବେଶ ଦରକାର, ଆମ ପାଇଁ ଜୀବନ ଓ ଜୀବିକା ମୂଲ୍ୟବାନ। ଏଠି ଖଣି ଖନନ ହେଲେ କେବଳ ବିଜାଲି ନୁହେଁ, ସାରା ହାତୀମୁଣ୍ଡା ଗ୍ରାମ ପଞ୍ଚାୟତ ସମେତ ପଡୋଶୀ ତାଜୁଙ୍ଗୀ, ଗଦାପୁର ଓ ବହୁ ଅଞ୍ଚଳର ଲୋକେ ବିସ୍ଥାପିତ ହେବେ। ଆଦିବାସୀ ଲୋକମାନେ ସେମାନଙ୍କ ଭିଟାମାଟି ଓ ଜୀବନ-ଜୀବିକାରୁ ବିସ୍ଥାପିତ ହେଲେ, ଯେତେ କ୍ଷତିପୂରଣ ସରକାର ଦେଲେ ମଧ୍ୟ ସେମାନେ ବଞ୍ଚି ପାରିବେ ନାହିଁ। ତେଣୁ କୌଣସି ପରିସ୍ଥିତିରେ ଆମେ ଆମ ଗ୍ରାମରେ ଖଣି ଖନନ କରାଇ ଦେବୁନାହିଁ ବୋଲି ଅଞ୍ଚଳବାସୀ ରୋକଠୋକ ଜଣାଇ ଦେଇଛନ୍ତି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ୍ ହାତୀମୁଣ୍ଡା ପଞ୍ଚାୟତର ବିଜାଲି ଗ୍ରାମରେ ଶନିବାର ଏନେଇ ଆୟୋଜିତ ପ୍ରତିବାଦ ସଭାରେ ଅଞ୍ଚଳବାସୀ ପ୍ରଶାସନ ସହ ଆଲୋଚନା ବେଳେ ଜଣାଇ ଦେଇଛନ୍ତି।
କିଛିଦିନ ହେଲା ହାତୀମୁଣ୍ଡା ପଞ୍ଚାୟତର ବିଜାଲି ଗ୍ରାମରେ ବ୍ରହ୍ମପୁରସ୍ଥିତ ଭୂତତ୍ତବିଦ ସର୍ଭେ କାର୍ଯ୍ୟାଳୟ ସମ୍ପୃକ୍ତ ଅଞ୍ଚଳରେ ଗ୍ରାଫାଇଟ ଥିବା ସୂଚନା ମିଳିବା ପରେ ସର୍ଭେ କାମ ଚାଲିିଛି। ମାତ୍ର ଏସମ୍ପର୍କରେ ବିଜାଲି ଗ୍ରାମବାସୀଙ୍କ ସହ କୌଣସି ଆଲୋଚନା କରାଯାଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତାଙ୍କ ଅଞ୍ଚଳରେ ଖଣି ଖନନ ହେଲେ ସେମାନେ ବିସ୍ଥାପିତ ହେବାର ଆଶଙ୍କା ରହିଛି। ଏହାକୁ ନେଇ ଆଲୋଚନା ବୈଠକରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଗ୍ରାମ ମୁଖିଆ ସନା ମଳିକଙ୍କ ସମେତ ୱାର୍ଡ ମେମ୍ବର ସସ୍ମିତା ମଳିକ ଏବଂ ଜଙ୍ଗଲ ଅଧିକାର କମିଟି ସମ୍ପାଦକ ପାତ୍ର ମଳିକ ଏହାର ଘୋର ବିରୋଧ କରିଥିଲେ। ଖଣି ସର୍ଭେ ବନ୍ଦ କରିବା ଓ ଜଳ, ଜଙ୍ଗଲ ଓ ପରିବେଶକୁ ସୁରକ୍ଷା ଦେବା ପାଇଁ ସେମାନେ ଦାବି କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, କନ୍ଧମାଳ ଜିଲାର ତାଙ୍କ ଅଞ୍ଚଳରେ ଗ୍ରାଫାଇଟ୍ ଖନନ କରୁଥିଲେ ମଧ୍ୟ ଏହାର ପ୍ରାରମ୍ଭିକ ସର୍ଭେ ପୂର୍ବରୁ ଗ୍ରାମସଭାର ଅନୁମୋଦନ କରାଯାଇନାହିଁ। ଏହା ନ କରି ଜିଲା ପ୍ରଶାସନ ସେମାନଙ୍କୁ ଅନ୍ଧାରରେ ରଖିଛି ବୋଲି ଅଞ୍ଚଳବାସୀ ପ୍ରଶାସନ ଉପରକୁ ଅଙ୍ଗଳି ଉଠାଇଛନ୍ତି। ଜିଲା ପ୍ରଶାସନ ସହ ବ୍ଲକ୍ ପ୍ରଶାସନ ମଧ୍ୟ ଏଦିଗରେ ନୀରବ ରହିଛି। ବ୍ଲକ ପ୍ରଶାସନ ମଧ୍ୟ ସେମାନଙ୍କୁ କୌଣସି ସୂଚନା ଦେଇ ନ ଥିବା ଗ୍ରାମବାସୀ କହିଛନ୍ତି। ଫଳରେ ଏହାକୁ ନେଇ ଗ୍ରାମବାସୀ ଉଦବେଗ ପ୍ରକାଶ କରିବା ସହ ଅସନ୍ତୋଷ ଜାହିର କରିଛନ୍ତି। କୌଣସି ପରିସ୍ଥିତିରେ ଆମେ ନ ଡରି ଭିଟାମାଟି, ପ୍ରକୃତି ତଥା ପରିବେଶର ସୁରକ୍ଷା ପାଇଁ ଏକଜୁଟ ହୋଇ ପ୍ରତିବାଦ କରିବୁ ବୋଲି ଅନୁଷ୍ଠିତ ପ୍ରତିବାଦ ସଭାରେ ଘୋଷଣା କରିଛନ୍ତି। ସଭାରେ ଜଙ୍ଗଲ ଅଧିକାର କମିଟ ସମ୍ପାଦକ ପାତ୍ର ମଳିକ ସଂଯୋଜନା କରିଥିଲେ। ମୁଖ୍ୟବକ୍ତା ରୂପେ ଚାଷୀ ମୂଲିଆ ସୁରକ୍ଷା ସମିତି ଉପଦେଷ୍ଟା ନରେନ୍ଦ୍ର ମହାନ୍ତି ଯୋଗ ଦେଇଥିଲେ।
.