ଖୋର୍ଦ୍ଧା,୧୦।୨(ପ୍ରଭାତ ପାଣିଗ୍ରାହୀ) : ବୋଲଗଡ ବିଡିଓ ବିବାଦକୁ ନେଇ ବଢିଲା ଜନ ଅସନ୍ତୋଷ । ବିଡିଓ ସୁମନ ସୁଦ୍ଧା କୁଣ୍ଡୁ ଗତ ସାଧାରଣତନ୍ତ୍ର ଦିବସରେ ଅନୁପସ୍ଥିତ ରହିବାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଆଜି ପୂର୍ବାହ୍ନରେ ବୋଲଗଡ ତହସିଲ କାର୍ଯ୍ୟାଳୟ ଠାରୁ ହଜାରରୁ ଉଦ୍ଧର୍ବ ଜନସାଧାରଣ ଏକ ବିଶାଳ ଶୋଭାଯାତ୍ରାରେ ଆସି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଡିଓଙ୍କ ବଦଳି ନହେବା ପର୍ଯ୍ୟନ୍ତ ଏକାଧିକ ସରପଞ୍ଚ, ସମିତିସଭ୍ୟ ବ୍ଲକ ଆଗରେ ଧାରଣା ସହ ଆନ୍ଦୋଳନ ଜାରି ରହିବାକୁ ଚେତାବନୀ ଦେଇଛନ୍ତି ।
ଏଥିସହ ବିଡିଓ ବଦଳି ନହେଲେ ବ୍ଲକ ଅଫିସ କାମ ଅଚଳ କରି ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ବେଗୁନିଆ ବିଧାୟକ। ମାଣିବନ୍ଧ ସରପଞ୍ଚ ସୁନନ୍ଦା ବରାଳ କହିଛନ୍ତି, ବିଡିଓ ବ୍ଲକର କୌଣସି ଜନପ୍ରତିନିଧିମାନଙ୍କୁ ସମ୍ମାନ ଦେଉ ନାହାନ୍ତି। ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସେମାନଙ୍କୁ ଅଣଦେଖା କରୁଛନ୍ତି । ବ୍ଲକରେ ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟରେ ସେ ବାଧକ ସୃଷ୍ଟି କରୁଛନ୍ତି । ବିଡିଓ ବଦଳି ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ବ୍ଲକ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ।
ସୂଚନାଯୋଗ୍ୟ, ବିଡିଓଙ୍କ ବିରୁଦ୍ଧରେ କାର୍ଯ୍ୟାଷ୍ଠାନ ଦାବିରେ ଗତ ୨୭ ତାରିଖରେ ବୋଲଗଡ ଜନ ସାଧାରଣ ୧୨ ଘଣ୍ଟିଆ ବନ୍ଦ ଡାକରା ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର ଦେଇଥିଲେ। ପରେ ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷାଙ୍କ ସମେତ ଏକାଧିକ ପଞ୍ଚାୟତ ସରପଞ୍ଚ ସମିତିସଭ୍ୟ, ୩ ଜିଲା ପରିଷଦ ପୁନଶ୍ଚ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ସାଫଲ୍ସ ମଣ୍ଡିତ ପ୍ରଧାନଙ୍କୁ ଦାବିପତ୍ର ଦେଇଥିଲେ। ଅନ୍ୟପଟେ ଗତ ସୋମବାର ଏକାଧିକ ଗ୍ରାମବାସୀ ବିଡିଓଙ୍କ ସପକ୍ଷରେ ଜିଲାପାଳଙ୍କୁ ଦାବିପତ୍ର ଦେଇ ନିର୍ଦ୍ଦେଶ ବୋଲି ଯୁକ୍ତି ଉପସ୍ଥାପନ କରିଥିଲେ।
ସେପଟେ ନିଜେ ବିଡିଓ ସୁମନ ସୁଦ୍ଧା କୁଣ୍ଡୁ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିବା ବେଳେ ତାଙ୍କର କୌଣସି ଭୁଲ ନାହିଁ । ସାଧାରଣତନ୍ତ୍ର ଦିବସ ଦିନ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଭଲ ନଥିଲା ବୋଲି ପ୍ରତିକ୍ରିୟା ରଖିଛନ୍ତି। ମାତ୍ର ଉକ୍ତ ଦିନ ବିଡିଓ ବ୍ଲକ କାର୍ଯ୍ୟାଳୟରେ ଉପସ୍ଥିତ ରହି ପତାକା ଉତ୍ତୋଳନ କରିଥିବା ଜନପ୍ରତିନିଧିମାନେ ଅଭିଯୋଗ ବାଢିଛନ୍ତି। ସେପଟେ ଜନପ୍ରତିନିଧି ମାନେ ଧାରଣାରେ ଅର୍ନିଦ୍ଦିଷ୍ଟ କାଳ ପାଇଁ ବସି ରହିବାର ଚେତାବନୀ ଦେଇଛନ୍ତି। ବୋଲଗଡ ଜନସାଧାରଣ ଓ ନିର୍ବାଚିତ ପ୍ରତିନିଧିଙ୍କ ପକ୍ଷରୁ ଚାଲିଥିବା ଏହି ଆନ୍ଦୋଳନକୁ ଭାଜପା ନେତା ଅଜିତ ପଟ୍ଟନାୟକ, ଭାଜପା ମଣ୍ଡଳ ସଭାପତି ଦିପକ ବିଶ୍ବାଳ ପ୍ରମୁଖ ସମର୍ଥନ ଜଣାଇଛନ୍ତି।