ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି ଖୋଲିବାନେଇ ରୁଷିକୂଲ୍ୟା ରୟତ ମହାସଭା ପକ୍ଷରୁ ଦାବି କରାଯାଇଛି। ଶୁକ୍ରବାର ରୁଷିିକୁଲ୍ୟା ରୟତ ମହାସଭା ସମ୍ପାଦକ ସୀମାଞ୍ଚଳ ନାହାକ, ବିନାୟକ ଆଚାର୍ଯ୍ୟ, ସ୍ୱପ୍ନେଶ୍ୱର କୃଷକ ସଂଘ ସଭାପତି ଆଇ ମୁକୁନ୍ଦ, ମୁନାଗୌଡ, କିଶୋର ସାସମଲ, ରମେଶ ଚନ୍ଦ୍ର ଗୌଡଙ୍କ ସମେତ ଚାଷୀମାନେ ବ୍ଲକ କାର୍ଯ୍ୟାଳୟକୁ ଆସି ନାରାବାଜି କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଏହି ଅବସରରେ ବିଡିଓ ଶରତକୁମାର ପାତ୍ରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରାଯାଇଛି। ଜିଲାରେ ଯଦିଓ ଗତ ୨୪ ତାରିଖରୁ ମଣ୍ଡି ଖୋଲାଯାଇଛି। ହେଲେ ବର୍ତ୍ତମାନ ସୁଦ୍ଧା ପୁରୁଷୋତ୍ତମପୁର ଅଞ୍ଚଳରେ କୌଣସି ସ୍ଥାନରେ ମଣ୍ଡି ଖୋଲା ଯାଇନାହିଁ। ଫଳରେ ଚାଷୀଙ୍କ ହଜାର ହଜାର କୁଇଣ୍ଟାଲ ଧାନ ପଡି ରହିଛି।

ଆଗାମୀ ଦିନରେ ବର୍ଷା ହେବାର ସମ୍ଭାବନା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଦେଉଥିବା ବେଳେ ଧାନ ବିକ୍ରିକୁ ନେଇ ଚାଷୀ ଚିନ୍ତାରେ ପଡିଛନ୍ତି। ମଣ୍ଡି ଖୋଲା ନ ଗଲେ ଚାଷୀଙ୍କ କୁଇଣ୍ଟାଲ କୁଇଣ୍ଟାଲ ଧାନ ବର୍ଷାରେ ଭିଜି ନଷ୍ଟ ହେବାର ସମ୍ଭାବନ ରହିଥିବା ଚାଷୀମାନେ କହିଛନ୍ତି। ତେଣୁ ତୁରନ୍ତ ମଣ୍ଡି ଖୋଲି ଧାନ କିଣିବାକୁ ମହାସଭା ପକ୍ଷରୁ ଦାବି କରାଯାଇଛି।

ଆଗାମୀ ଧାନ କିଣା ନ ଗଲେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ବିଡିଓ ଶରତକୁମାର ପାତ୍ର କହିଛନ୍ତି ଯେ, ପୁରୁଷୋତ୍ତମପୁର ବ୍ଳକରେ ରହିଥିବା ୨୬ଟି ପଞ୍ଚାୟରେ ୨୯ଟି ମଣ୍ଡି ଖୋଲାଯିବ। ସେଥିମଧ୍ୟରୁ ୧୪ଟି ମଣ୍ଡି ସ୍ୱୟଂସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେବାକୁ ଥିବା ବେଳେ ଅନ୍ୟ ୧୫ଟି ମଣ୍ଡିକୁ ସମବାୟସମିତି ପରିଚାଳନା କରିବେ। ଏନେଇ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି। ଖୁବଶୀଘ୍ର ମଣ୍ଡି ଖୋଲାଯିବା ସହିତ ଚାଷୀମାନେ ଧାନକୁ ମଣ୍ଡିରେ ଆଣି ଦେଇପାରିବେ ସେ ନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହାସହ ସୁରୁଖୁରୁରେ ମଣ୍ଡିରେ ଧାନ ଗ୍ରହଣ କରାଯାଇପାରିବ ସେନେଇ ପ୍ରଶାସନ ତତ୍ପର ରହିଥିବା ସେ ପ୍ରକାଶ କରିଛନ୍ତି।