୧୫ଦିନ ଭିତରେ କ୍ଷତିପୂରଣ ନ ମିଳିଲେ ଆନ୍ଦୋଳନ

ନୂଆପଡ଼ା,୨୧ା୫ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଧରମପୁର ଗାଁଠାରୁ ହାତିସରା ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ରାସ୍ତା ଓ ସେତୁ ନିର୍ମାଣ କରାଯାଇଛି। ରାସ୍ତା ନିର୍ମାଣ ହେବାର ଦୁଇବର୍ଷ ବିତି ଯାଇଥିଲେ ମଧ୍ୟ ଚାଷୀଙ୍କୁ କ୍ଷତିପୂରଣ ନ ମିଳିବାରୁ ମଙ୍ଗଳବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନେ ଅତିରିକ୍ତ ଜିଲାପାଳ ଭୀମସେନ ଶବରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଅତିରିକ୍ତ ଜିଲାପାଳ ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ୧୫ଦିନ ଭିତରେ କ୍ଷତିପୂରଣ ସହାୟତା ରାଶି ନ ମିଳିଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚାଷୀମାନେ ଚେତାବନୀ ଦେଇଛନ୍ତି। ସୂଚନା ଅନୁଯାୟୀ ରାସ୍ତା ନିର୍ମାଣ ସମୟରେ ତରବୋଡ ପଞ୍ଚାୟତ ଧରମପୁର ଓ ଦର୍ଲିପଡା ପଞ୍ଚାୟତ ହାତିସରା ଗାଁର ପାଖାପାଖି ୩୦ ଚାଷୀଙ୍କ ଜମି ଯାଇଛି। ଜମିର ଉଭୟ ପାର୍ଶ୍ୱରେ ମାଟି ପୋତିହୋଇ ଯାଇଥିବାରୁ ଚାଷ କାର୍ଯ୍ୟରେ ବାଧା ଉପୁଜୁଛି। ଏହାକୁ ନେଇ ଚାଷୀମାନେ ଅନେକ ଥର ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ଅଭିଯୋଗ କରିଛନ୍ତି। ତୁରନ୍ତ ଏହାର ସମାଧାନ ନ ହେଲେ ଚାଷୀ ରାଜରାସ୍ତାକୁ ଓହ୍ଲାଇବା ପାଇଁ ସଜବାଜ ହେଉଥିବା ଶ୍ରମିକ ନେତା ଭକ୍ତବନ୍ଧୁ ଧରୁଆ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରଘୁ ବନଛୋର, ପ୍ରତାପ କଟା, ଗୋବର୍ଦ୍ଧନ ମାଝିଙ୍କ ସମତେ ଗ୍ରାମବାସୀ ଉପସ୍ଥିତ ଥିଲେ ା