ଲାଞ୍ଜିଗଡ, ୨।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ସବ-ରେଜିଷ୍ଟର କାର୍ଯ୍ୟାଳୟ ସ୍ଥାପନରେ ପ୍ରଶାସନର ଟାଳଟୁଳ ନୀତିକୁ ବିରୋଧ କରି ଅଞ୍ଚଳବାସୀ ସୋମବାର ଲାଞ୍ଜିଗଡ ତହସିଲ ଅଫିସ ଘେରାଉ କରିଛନ୍ତି।
ସୂଚନାନୁସାରେ, ଓଡ଼ିଶା ସରକାରଙ୍କ ରାଜସ୍ବ ବିଭାଗ ବିଜ୍ଞାପିତ ପତ୍ର ସଂଖ୍ୟା ପିଟି-୧ ଆରଡ଼ିଏମ- ଆରଇଜି-ଆରଇଜିଏନ-୦୦୪୮-୨୦୨୦-୩୦୩୭/ଆରଏଣ୍ଡଡିଏମ ତା ୨୧/୧/୨୦୨୬ ନିର୍ଦ୍ଦେଶନାମା ମୁତାବକ ଲାଞ୍ଜିଗଡ ଠାରେ ସବ ରେଜିଷ୍ଟର ଅଫିସ ଫେବୃଆରୀ ୨ରେ ଲାଞ୍ଜିଗଡ଼ଠାରେ ଉଦଘାଟନ କରିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିଲା।
ଉକ୍ତ କାର୍ଯ୍ୟାଳୟଟି ଉଦଘାଟନ କରିବା ପାଇଁ ସମସ୍ତ ପ୍ରକାର ସୁବ୍ୟବସ୍ଥା ଲାଞ୍ଜିଗଡଠାରେ କରାଯାଇଥିଲା। କିନ୍ତୁ ୩୧/୧/୨୦୨୬ରେ ଲାଞ୍ଜିଗଡ ତହସିଲ କାର୍ଯ୍ୟାଳୟରେ ଭବାନୀପାଟଣା ଉପଜିଲାପାଳ ଓ ଲାଞ୍ଜିଗଡ ତହସିଲଦାରଙ୍କ ଉପସ୍ଥିତିରେ ଏକ ବୈଠକ କରି ଉକ୍ତ ସବ୍ରେଜିଷ୍ଟର କାର୍ଯ୍ୟାଳୟକୁ ଲାଞ୍ଜିଗଡ଼ଠାରେ ଉଦଘାଟନ କରିବା ପରିବର୍ତ୍ତେ ବିଶନାଥପୁରଠାରେ ଉଦଘାଟନ କରିବା ପାଇଁ ଜିଲା ପ୍ରଶାସନ ଏକତରଫା ଯୋଜନା କରୁଥିଲେ। ଜିଲା ପ୍ରଶାସନର ଉକ୍ତ ଟାଳଟୁଳ ନିଷ୍ପତିକୁ ଲାଞ୍ଜିଗଡ଼ ଅଞ୍ଚଳବାସୀ ସମ୍ପୂର୍ଣ୍ଣ ବିରୋଧ କରୁଛନ୍ତି। ତେଣୁ ଆଜି ଲାଞ୍ଜିଗଡ ଅଞ୍ଚଳବାସୀ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଲାଞ୍ଜିଗଡ ତହସିଲ ଅଫିସ ଘେରାଉ କରିଛନ୍ତି ।