ପୂର୍ବତନ ବିବାଦୀୟ ବିଡିଓଙ୍କ ପୁନଃ ନିଯୁକ୍ତି ପ୍ରତିବାଦରେ ଧାରଣା

କର୍ଲାମୁଣ୍ଡା,୧୪ା୧୦(ପ୍ରତାପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ପୂର୍ବତନ ବିବାଦୀୟ ବିଡିଓଙ୍କୁ ପୁନଃ ନିଯୁକ୍ତି ପ୍ରତିବାଦରେ ଗଣଧାରଣା ମଙ୍ଗଳବାର ଦ୍ୱିତୀୟ ଦିନରେ ପହଞ୍ଚିଥିଲା। ତେବେ ଭବାନୀପାଟଣା ଉପଜିଲାପାଳଙ୍କ ହସ୍ତକ୍ଷେପ ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାପଡ଼ିଛି। ମଙ୍ଗଳବାର ଅପରାହ୍ନରେ ଉପଜିଲାପାଳ ପ୍ରଭାତ ପରିଡ଼ା, କେସିଙ୍ଗା ଏସ୍‌ଡିପିଓ ସନ୍ଦୀପ କୁମାର ମାଝୀ ପ୍ରମୁଖ ଧାରଣାରତ ଜନପ୍ରତିନିଧିଙ୍କୁ ତହସିଲଦାରଙ୍କ କାର୍ଯ୍ୟାଳୟକୁ ଡାକି ଦୀର୍ଘ ଦେଢ଼ଘଣ୍ଟା ସମୟ ଆଲୋଚନା କରିବା ପରେ ଆନ୍ଦୋଳନକାରୀମାନେ ଧାରଣା ପ୍ରତ୍ୟାହାର କରିଥିଲେ। ଜିଲାପାଳ ମଧ୍ୟ ଫୋନ୍‌ ଯୋଗେ ବ୍ଲକ ଅଧ୍ୟକ୍ଷାଙ୍କ ସହ ଆଲୋଚନା କରିଥିବା ଜଣାଯାଇଛି । ତେବେ ପୋଲିସ ପ୍ରଶାସନ ଓ ବ୍ଲକ ପ୍ରଶାସନର ଉପସ୍ଥିତିରେ ଆନ୍ଦୋଳନକାରୀମାନେ ପକାଇଥିବା ଦୁଇ ଗେଟ୍‌ର ତାଲା ଖୋଲାଯାଇଥିଲା। ଆଲୋଚନା ସମୟରେ ବିଡିଓ ଦେବେନ୍ଦ୍ର ସାମଲ, ତହସିଲଦାର ଅରୁଣ ବର୍ଗେ, ମ. ରାମପୁର ଥାନା ଅଧିକାରୀ ବୀରବର ଭାଗବତ ଉପସ୍ଥିତ ଥିଲେ। ଅନ୍ୟ ପଟେ ପୂର୍ବତନ ବିଡିଓ ସୁଚରିତା ମୁଗ୍ରୀ ଯଦି ଏଠି ଯୋଗ ଦେବେ ସେଦିନ ଠୁଁ ତୁମେ ଧାରଣା ଦେବାର ଥିଲେ ଦେବ ବୋଲି ଉପଜିଲାପାଳ କହିଥିବା ଜିଲାପରିଷଦ ସଭ୍ୟ ସୁରେଶ ଚୌଧୁରୀ କହିବା ସହ ପୂର୍ବତନ ବିଡିଓ ଯଦି ଏଠି ଯୋଗ ଦିଅନ୍ତି ଆମେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବୁ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଧାରଣାରେ ବ୍ଲକ ଅଧ୍ୟକ୍ଷା କୁନି ସାହୁ, ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ଜିଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ଆଦିବାସୀ ନେତା ବବୃ ବାହନ ଭୋଇ ଓ ଇନ୍ଦ୍ରମଣି କହଁର,ରିଞ୍ଜ, ସମିତିସଭ୍ୟ ଆନନ୍ଦ ନାଗ, ପୌରକେଲା ସମିତି ସଭ୍ୟ ସୁଧୀର ଭୋଇ, ରାଜପୁର ସମିତି ସଭ୍ୟ ନିରୂପମା ଭୋଇ,ସାପଲହରା ସମିତି ସଭ୍ୟ ବିଶାନ୍ତି ସୁନା,ତେରେସିଙ୍ଗା ସମିତି ସଭ୍ୟ ଚନ୍ଦ୍ରମା ରଣା, ରେଗଡ଼ା ସମିତି ସଭ୍ୟ ଗେଲ କମ୍ପ, ଭାଜପା ଜିଲା କାର୍ଯ୍ୟକାରିଣୀ ସଦସ୍ୟା ତଥା ମିଶନ ଶକ୍ତି ବ୍ଲକ ଫେଡେରେଶନ ସଭାନେତ୍ରୀ ଜୟନ୍ତୀ ସାହୁଙ୍କ ସମେତ ଅନ୍ୟାନ୍ୟ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ। ତେବେ ପୂର୍ବତନ ବିଡିଓ ସୁଶ୍ରୀ ସୁଚରିତା ମୁଗ୍ରୀ ଗତ ୨/୧୦/୨୦୨୨ ରୁ ୩୧/୧/୨୦୨୪ ମଧ୍ୟରେ କର୍ଲାମୁଣ୍ଡା ବ୍ଲକରେ ବିଡିଓ ଭାବେ କାର୍ଯ୍ୟ କରିଥିବା ସମୟରେ ସାଧାରଣ ଲୋକଙ୍କୁ ହଇରାଣ କରିବା ସହ ଜନ ପ୍ରତିନିଧିମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଓ ଏକ ଛତ୍ରବାଦ ଶାସନ କରୁଥିଲେ। ପୁଣି ଥରେ ସେଭଳି ବିଡିଓଙ୍କୁ ସରକାର ନିଯୁକ୍ତି ଦେଇଥିବାରୁ ଆମେ ପ୍ରତିବାଦ କରି ଧାରଣା ଦେଇଥିଲୁ ବୋଲି ବ୍ଲକ ଅଧ୍ୟକ୍ଷା କୁନି ସାହୁ ଓ ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ କହିଛନ୍ତି।

Dharitri – The Largest & Most Trusted Odia Daily