ବରଗଡ଼,୧।୮(ପ୍ରେମାନନ୍ଦ ଖମାରୀ):ଖରିଫ ଧାନବିକ୍ରି ପାଇଁ ଏଥର ରାଜ୍ୟ ସରକାର ନୂଆନୀତି ଆଣିଛନ୍ତି। ସରକାରଙ୍କ ଏହି ନୀତି ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଗୋଟିଏ ପଟେ ଏହି ନୀତି ବିରୋଧରେ ରାଜ୍ୟ ସରକାରଙ୍କ ବିରୋଧରେ ଅସନ୍ତୋଷ ତେଜି ଉଠିଥିବାବେଳେ ଅନ୍ୟପଟେ ପଞ୍ଜୀକରଣରୁ ମଧ୍ୟ ଚାଷୀମାନେ ମୁହଁ ଫେରାଉଥିବା ପରିଲକ୍ଷିତ ହୋଇଛି। ଏଭଳି ସ୍ଥିତିରେ ଚାଷୀମାନେ ଆନ୍ଦୋଳନ ମୁହାଁ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଏହି ନୂଆ ନୀତି ବିରୋଧରେ ଶୁକ୍ରବାର ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ବାରପାହାଡ଼ କୃଷକ ସଂଘ, ଲଖନପୁର ଆନ୍ଦୋଳନକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛି। ସ୍ଥାନୀୟ ତହସିଲ କାର୍ଯ୍ୟାଳୟରେ ସଂଘ ପକ୍ଷରୁ ତାଲା ପକାଇବା ସହିତ କାର୍ଯ୍ୟାଳୟ ସମ୍ମୁଖରେ ଯାଇଥିବା ରାସ୍ତାକୁ ଅବରୋଧ କରାଯିବ ବୋଲି ସୂଚନା ମିଳିଛି। ଅନୁରୂପଭାବେ ଜିଲାର ଅନ୍ୟ ବ୍ଲକ ଗୁଡ଼ିକରେ ମଧ୍ୟ ଚାଷୀ ସଙ୍ଗଠନ ଗୁଡ଼ିକ ଏଭଳି ଆନ୍ଦୋଳନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଚଲାଇ ଥିବାରୁ ଚାଷୀ ପଞ୍ଜୀକରଣ ନୂଆନୀତି ବିରୋଧରେ ଏକ ବଡ଼ ଧରଣ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିଛି।
ଏଥର ପଞ୍ଜୀକରଣରେ ଚାଷୀଙ୍କ ବଂଶୀୟ ସହମତି, ପଞ୍ଜୀକୃତ କେନ୍ଦ୍ରରେ ଅଂଶୀଦାରଙ୍କ ଉପସ୍ଥିତି, ଚକ୍ଷୁସ୍କାନ, ସହମତି ପ୍ରଦାନ ଆଦିକୁ ବାଧ୍ୟତାମୂଳକ କରାଯାଇଛି। ଏହି ପ୍ରକ୍ରିୟା ଚାଷୀମାନଙ୍କ କ୍ଷେତ୍ରରେ କାଠିକର ପାଠ ଓ ଅସମ୍ଭବ ହୋଇ ପଡ଼ିଛି। ଫଳରେ ଏହାକୁ ନେଇ ଚାଷୀ ଅସନ୍ତୋଷ ଲାଗି ରହିଛି। ଏଭଳି ନିୟମ ପ୍ରଣୟନ ଦ୍ୱାରା ଜିଲାର ୭୦ପ୍ରତିଶତ ଚାଷୀ ବଞ୍ଚିତ ହେବେ ବୋଲି ବିଭିନ୍ନ ଚାଷୀ ସଙ୍ଗଠନ ଗୁଡ଼ିକ ଅଭିଯୋଗ କରିଥିବାବେଳେ ବିରୋଧୀ ବିଜେଡି ଏବଂ କଂଗ୍ରେସ ମଧ୍ୟ ଚାଷୀଙ୍କ ସହିତ ସ୍ବର ମିଲାଇଛି। ନୂତନ ନିୟମ ପ୍ରତ୍ୟାହାର କରିବା ସହିତ ପୁରୁଣା ପଦ୍ଧତିରେ ଧାନ କିଣିବା ତଥା ପଞ୍ଜୀକରଣ ପ୍ରକ୍ରିୟାକୁ ସରଳୀକରଣ କରିବା ପାଇଁ ଦାବି କରାଯାଇଛି।
ଏହି ଦାବି ନେଇ ବିଭିନ୍ନ ଚାଷୀ ସଙ୍ଗଠନ ସମେତ ବିଜେଡି, କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ଼ ବିଗତ ଦିନରେ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସେହିପରି ବୁଧବାର ବାରପାହାଡ଼ କୃଷକ ସଙ୍ଗଠନ ପକ୍ଷରୁ ମଧ୍ୟ ଅନୁରୂପଭାବେ ଜିଲାପାଳ ଗୋୟଲଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଗୁରୁବାର(ଜୁଲାଇ ୩୧ତାରିଖ) ସୁଦ୍ଧା ସେ ଦିଗରେ ଠୋସ୍ ପଦକ୍ଷେପ ନିଆ ନଗଲେ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଦାବିପତ୍ରରେ ଚେତାବନୀ ଦେଇଥିଲା। ତେବେ ଏ ଯାଏ କିଛି ସୁଫଳ ନ ମିଳିଥିବା ପ୍ରତିବାଦରେ ଆନ୍ଦୋଳନ କରାଯିବା ନେଇ ସଙ୍ଗଠନ ପକ୍ଷରୁ ପ୍ରସ୍ତୁତି ଚୁଡ଼ାନ୍ତ ହୋଇ ସାରିଥିବା ସୂଚନା ମିଳିଛି। ଏଥିପାଇଁ ସଙ୍ଗଠନର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଏଠାରେ ପ୍ରକାଶଥାଉକି, ପଞ୍ଜୀକରଣର ନୂଆନୀତି ପ୍ରତ୍ୟାହାର କରି ପୁରୁଣା ପଦ୍ଧତିରେ ଚାଷୀ ପଞ୍ଜୀକରଣ କରିବା ଦାବି ନେଇ ଗତ ୨୮ତାରିଖ ବରଗଡ଼ ଜିଲା ସଂଯୁକ୍ତ କୃଷକ ସଙ୍ଗଠନ ପକ୍ଷରୁ ପଞ୍ଜୀକରଣ ନୂଆନୀତିକୁ ବିରୋଧ କରି ଜିଲାର ୪୧ ପ୍ରାଥମିକ କୃଷି ସମବାୟ ସମିତିରେ ସ୍ଥାନୀୟ ସମିତି ସମ୍ପାଦକମାନଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।