ବରଗଡ଼,୨୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ାସ୍ଥିତ ଟୋଲପ୍ଲାଜା ନିକଟରେ ରହିଥିବା ବାଇପାସ୍ ଆର୍ଡି ରାସ୍ତାରେ ପୁଣି ଏକ ଟୋଲପ୍ଲାଜା ନିର୍ମାଣ ଯୋଜନା ଚାଲିଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜି ଉଠିଛି। ଏହି କ୍ରମରେ ସୋମବାର ପୂର୍ବାହ୍ନ ୧୧ଟାରେ ଅଞ୍ଚଳର ଲୋକେ ଟୋଲପ୍ଲାଜା ନିର୍ମାଣସ୍ଥଳୀକୁ ପହଞ୍ଚି ବିରୋଧ କରିଥିଲେ। ଏହାପରେ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଥିଲା। ଟୋଲପ୍ଲାଜା କର୍ତ୍ତୃପକ୍ଷ ଏବଂ ଅଞ୍ଚଳବାସୀ ସ୍ଥାନୀୟ ଗ୍ରାମାଞ୍ଚଳ ଥାନାକୁ ପହଞ୍ଚିଥିଲେ। ସେଠାରେ ଆଲୋଚନା ବିଫଳ ହୋଇଥିଲା। ଅନ୍ୟପଟେ ସେହି ରାସ୍ତାରେ ଟୋଲପ୍ଲାଜା ନିର୍ମାଣ ଅଧାରୁ ଅଟକି ରହିଥିବାବେଳେ ଏହାକୁ ନେଇ ଚାପା ଉତ୍ତେଜନା ଲାଗି ରହିଛି। ସେହିପରି ଏଭଳି ନିର୍ମାଣ କାର୍ଯ୍ୟକୁ ଦୃଢ଼ ବିରୋଧ କରିବା ପାଇଁ ସ୍ଥାନୀୟ ବିଭିନ୍ନ ସଙ୍ଗଠନ ସମେତ ଅଞ୍ଚଳବାସୀ ସଙ୍ଗଠିତ ହେଉଥିବା ସୂଚନା ମିଳିଛି।
ପ୍ରକାଶ ଯେ, ୬ନମ୍ବର ଜାତୀୟ ରାଜପଥର ବରଗଡ଼ ଜିଲା ସୋହେଲା ଥାନା ଲୁହୁରାଚଟିଠାରୁ ସମ୍ବଲପୁର ଜିଲା ଅଇଁଠାପାଲି ପର୍ଯ୍ୟନ୍ତ ୮୮ କି.ମି ଦୀର୍ଘ ରାସ୍ତା ଫୋରଲେନ୍ ହୋଇଛି। ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା(ଏନ୍ଏଚ୍ଏଆଇ) ଅଧିନରେ ରାସ୍ତା ନିର୍ମାଣକାରୀ କମ୍ପାନୀ ଅଶୋକା ବିଲ୍ଡକନ୍ ଏହି ରାସ୍ତା ନିର୍ମାଣ କରିଛି। ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ାଠାରେ ଜାତୀୟ ରାଜପଥ ଉପରେ ଟୋଲପ୍ଲାଜା ସ୍ଥାପନ କରି ଉକ୍ତ ସଂସ୍ଥା ଯାନବାହନ ଗୁଡ଼ିକରୁ ଟୋଲଟ୍ୟାକ୍ସ ଆଦାୟ କରୁଛି। ଉକ୍ତ ଟୋଲପ୍ଲାଜା ନିକଟରେ ଜାତୀୟ ରାଜପଥରୁ ବରାହଗୋଡ଼ା, ଆମ୍ବସଢ଼ା, ତୋରା ପକ୍ଷରୁ ଗ୍ରାମ୍ୟ ଉନ୍ନୟନ ବିଭାଗ(ଆରଡ଼ି)ର ଏକ ବାଇପାସ୍ ରାସ୍ତା ଯାଇଛି। ଉକ୍ତ ବାଇପାସ୍ ରାସ୍ତାରେ ଯାତାୟାତ ଯାନବାହନ ଗୁଡ଼ିକରୁ ଟୋଲପ୍ଲାଜା କର୍ତ୍ତୃପକ୍ଷଙ୍କ ଟୋଲଟ୍ୟାକ୍ସ ଅସୁଲିକୁ ବିଗତ ଦିନରେ ବିରୋଧ କରାଯାଇଥିଲା। ଏପରିକି ଏନ୍ଏଚ୍ଏଆଇ, ଅଞ୍ଚଳବାସୀ ଏବଂ ପ୍ରଶାସନ ମଧ୍ୟରେ ଅନୁଷ୍ଠିତ ତ୍ରିପାକ୍ଷିକ ବୈଠକ ପରେ ଗତବର୍ଷ ଏହି ରାସ୍ତାରେ ନିର୍ମିତ ଅନ୍ୟଏକ ଟୋଲପ୍ଲାଜାକୁ ଭାଙ୍ଗି ଦିଆଯାଇଥିଲା।
ତେବେ ସେହି ଘଟଣାକୁ ବର୍ଷେ ନ ପୂରୁଣୁ ପୁଣି ସେଠାରେ ଆଉଏକ ଟୋଲପ୍ଲାଜା ନିର୍ମାଣକୁ ନେଇ ଅଞ୍ଚଳରେ ଅସନ୍ତୋଷ କୁହୁଳୁଛି। ଏଥିରେ ପ୍ରଶାସନ ହସ୍ତକ୍ଷେପ ନ କଲେ ଏହାକୁ କେନ୍ଦ୍ର କରି ଆଗାମୀ ଦିନରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ସହିତ ଏକ ବଡ଼ ଆନ୍ଦୋଳନ ମୁଣ୍ଡ ଟେକିଛି। ତୋରା ଗ୍ରାମର ଅନନ୍ତ ତାଣ୍ଡି କହିଛନ୍ତି, ଆର.ଡ଼ି ରାସ୍ତା ଉପରେ ଟୋଲପ୍ଲାଜା ବସାଇବା ନେଇ ଅଶୋକା ବିଲ୍ଡକନ୍ର କୌଣସି ଅଧିକାର ନାହିଁ। ଯଦି ସେଠାରେ ଟୋଲପ୍ଲାଜା ନିର୍ମାଣ କରାଯାଏ, ତାକୁ ଆଦୌ ବରଦାସ୍ତ କରାଯିବ ନାହିଁ ଏବଂ ସମସ୍ତ ଆଖପାଖ ଅଞ୍ଚଳବାସୀ ଏକତ୍ରିତ ହୋଇ ତୀବ୍ର ବିରୋଧ କରିବେ ବୋଲି ସେ ଚେତାବନୀ ଦେଇଛନ୍ତି। ପ୍ରକାଶଥାଉକି, ଏହି ରାସ୍ତାରେ ଟୋଲଟ୍ୟାକ୍ସ ଅସୁଲିକୁ ନେଇ ପୂର୍ବରୁ କିଛି ଲୋକ ଖାଉଟୀ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ତାର ବିଚାର କରି ଖାଉଟୀ ଅଦାଲତ ଆବେଦନକାରୀଙ୍କ ସପକ୍ଷରେ ରାୟ ଦେଇଥିଲେ।