ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟ ପରିସରରେ ବନ ବିଭାଗ ପକ୍ଷରୁ ଗଜ ସାଥି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବନ ବିଭାଗ ରେଞ୍ଜର ଦିବ୍ୟ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ଦିଗପହଣ୍ଡି ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା. ମଧୁସ୍ମିତା ପଣ୍ଡା,ସାନଖେମୁଣ୍ଡି ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡା. ପ୍ରବୀଣ ସାହୁ, ଦିଗପହଣ୍ଡି ଓ ପାଟପୁର ବିଦ୍ୟୁତ ବିଭାଗ ଟିପିଏସଓଡିଏଲର ଯନ୍ତ୍ରୀ ବୃନ୍ଦ ଉପସ୍ଥିତ ଥିଲେ।
ବନ ସୁରକ୍ଷା ସମିତି ପକ୍ଷରୁ ଗ୍ରାମାଞ୍ଚଳରେ ନିୟୋଜିତ ଗଜ ସାଥି ବୃନ୍ଦ ଜଙ୍ଗଲରେ ହାତୀଙ୍କ ଚଳପ୍ରଚଳ ଓ ସେମାନଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରିବାକୁ ଏହି ଶିବିରରେ ସବିଶେଷ ଆଲୋଚନା କରାଯାଇ ବହୁବିଧ ପରାମର୍ଶ ଦିଆଯାଇଥିଲା। ବିଭିନ୍ନ ସମୟରେ ଜନବସତି ଗୁଡ଼ିକୁ ମାଡ଼ି ଆସୁଥିବା ହାତୀଙ୍କ ଗତିବିଧି ସମ୍ପର୍କରେ ତୁରନ୍ତ ବନ ବିଭାଗ ଅଧିକାରୀମାନଙ୍କୁ ସୂଚନା ପ୍ରଦାନ କରିବା। ଜଙ୍ଗଲ ଅଞ୍ଚଳରେ ବେଆଇନ ଭାବେ ଶିକାର ପାଇଁ ବିଦ୍ୟୁତ ହୁକିଂ କିମ୍ବା ସୋଲାର ବିଦ୍ୟୁତ ଫେନ୍ସିଂ କରାଯାଇଥିବା ଦେଖିଲେ ନିୟୋଜିତ ବିଦ୍ୟୁତ ପ୍ରହରୀ ବୃନ୍ଦ ସେଗୁଡିକୁ ଜବତ କରି ବନ ବିଭାଗ ଏବଂ ବିଦ୍ୟୁତ ବିଭାଗ ଅଧିକାରୀମାନଙ୍କୁ ଅବଗତ କରାଇବା ସମ୍ପର୍କରେ ଶିବିରରେ ପରାମର୍ଶ ଦିଆଯାଇଥିଲା। ବନ ବିଭାଗ ପକ୍ଷରୁ ପାଟପୁର ଓ ଚିକିଟି ସେକ୍ସନରେ ନିଯୁକ୍ତ ୭ ୟୁନିଟର ୨୮ ଜଣ ଗଜ ସାଥି ବୃନ୍ଦ ଏବଂ ବିଦ୍ୟୁତ ପ୍ରହରୀ ବୃନ୍ଦ ଶିବିରରେ ଉପସ୍ଥିତ ଥିଲେ।