ୟୁରିଆ ଦର ବଢ଼ାଇବାକୁ ପ୍ରସ୍ତାବ; ଚାଷୀଙ୍କୁ ମିଳିପାରେ ସିଧାସଳଖ ସହାୟତା

ନୂଆଦିଲ୍ଲୀ,୩୦।୧: ବଢିବାକୁ ଯାଉଛି ୟୁରିଆ ଦାମ୍। ଦେଶରେ ୟୁରିଆ ସାରର ଅତ୍ୟଧିକ ବ୍ୟବହାର ରୋକିବା ଏବଂ ବଢ଼ୁଥିବା ସବ୍‌ସିଡି ବୋଝକୁ କମ୍ କରିବା ପାଇଁ ଏହାର ଖୁଚୁରା ମୂଲ୍ୟରେ ସାମାନ୍ୟ ବୃଦ୍ଧି କରିବାକୁ ଅର୍ଥନୈତିକ ସର୍ଭେ ରିପୋର୍ଟରେ ପ୍ରସ୍ତାବ ଦିଆଯାଇଛି। ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟ ଧରି ୟୁରିଆ ଦର ବୃଦ୍ଧି ହୋଇନଥିବା ବେଳେ ୨୦୨୫-୨୬ ଆର୍ଥିକ ବର୍ଷରେ ସାର ସବ୍‌ସିଡି ୧.୯୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବା ନେଇ ଆକଳନ କରାଯାଇଛି।

ଚାଷୀଙ୍କ କ୍ରୟ ଶକ୍ତି ବଜାୟ ରଖିବା ପାଇଁ ଏକର ପିଛା ହିସାବରେ ସିଧାସଳଖ ବ୍ୟାଙ୍କ ଖାତାକୁ (DBT) ଟଙ୍କା ପଠାଇବାକୁ ପରାମର୍ଶ ଦିଆଯାଇଛି। ଚଳିତ ବର୍ଷ ୟୁରିଆ ବ୍ୟବହାର ସର୍ବକାଳୀନ ରେକର୍ଡ ୪୦ ନିୟୁତ ଟନ୍ ଛୁଇଁବା ଆଶା କରାଯାଉଛି। ତେବେ ଫସଲ ଉତ୍ପାଦନ କ୍ଷେତ୍ରରେ ସ୍ଥାଣୁତା ଦେଖାଦେଇଥିବା ବେଳେ ପ୍ରାଣୀଧନ ଓ ମତ୍ସ୍ୟଚାଷ କ୍ଷେତ୍ରରେ ୫-୬% ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ସାଧାରଣ ବଣ୍ଟନ ବ୍ୟବସ୍ଥା (PDS)ରେ ରୁଟ୍ ଉନ୍ନତୀକରଣ କରାଯିବା ଫଳରେ ପରିବହନ ବାବଦରେ ପ୍ରାୟ ୨୫୦ କୋଟି ଟଙ୍କା ସଞ୍ଚୟ ହୋଇଛି। ଭଲ ରବି ଚାଷ ଯୋଗୁଁ ଗ୍ରାମାଞ୍ଚଳରେ ଚାଷୀଙ୍କ ଆୟ ବୃଦ୍ଧି ପାଇବ ବୋଲି ଏହି ସର୍ଭେ ରିପୋର୍ଟରେ ଆଶା ପ୍ରକାଶ କରାଯାଇଛି।

Share