ଅଣଛାତ୍ରଙ୍କ ପ୍ରବେଶ ଉପରେ ରୋକ୍‌

ଯାଜପୁରରୋଡ୍‌,୭ା୧୦(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଅଣଛାତ୍ରମାନଙ୍କ ଅବାଧ ପ୍ରବେଶ ଉପରେ ରୋକ୍‌ ଲଗାଯାଇଛି। ଯେଉଁ ଅଣଛାତ୍ର ବିନା କୌଣସି କାର୍ଯ୍ୟରେ କଲେଜକୁ ପ୍ରତିଦିନ ଆସୁଛନ୍ତି ସେମାନଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମହାବିଦ୍ୟାଳୟ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସ୍ବାଇଁ କହିଛନ୍ତି। ଫଳରେ ମହାବିଦ୍ୟାଳୟରେ ଅବାଧ ପ୍ରବେଶ କରୁଥିବା ଅଣଛାତ୍ରଙ୍କ ମଧ୍ୟରେ ଛନକା ପଶିଛି। ମହାବିଦ୍ୟାଳୟ ପରିସରରେ ୨ ପୋଲିସ କର୍ମଚାରୀଙ୍କୁ ଅଣଛାତ୍ରଙ୍କ ଉପରେ ନଜର ରଖିବା ସହ ତୁରନ୍ତ ପିସିଆରକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିନରେ ଦୁଇଥର ୧୧୨ ଭ୍ୟାନ କଲେଜ ପରିସରରେ ପଇଁତରା ମାରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ବୋଲି ଯାଜପୁର ରୋଡ୍‌ ଆଦର୍ଶ ଥାନାଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ କହିଛନ୍ତି। ଗୁରୁବାର କଲେଜ ପ୍ରଶାସନ ଜଣେ ଅଣଛାତ୍ର ସହ ଗୋଟିଏ ବାଇକ ଜବତ କରି ପୋଲିସକୁ ହସ୍ତାନ୍ତର କରିଥିବା ଜଣାପଡିଛି। ଏଠାରେ ଅନେକ ସମୟରେ ଶିକ୍ଷାରତ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହେବାସହ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଥିବାର ଦେଖିବାକୁ ମିଳୁଛି। ଏପରି କି ମହାବିଦ୍ୟାଳୟ ପରିସରରେ ବିଭିନ୍ନ ଅସାମାଜିକ କାର୍ଯ୍ୟ କଳାପ ବୃଦ୍ଧି ପାଉଛି। କିଛିଦିନ ତଳେ କଲେଜ ଛାତ୍ରାବାସରେ କେତେଜଣ ଅଣଛାତ୍ର ଅନ୍ତେବାସୀଙ୍କୁ ମାରପିଟ କରିଥିବାର ଘଟଣା ଘଟିଥିଲା। ଯାହାକୁ ନେଇ କଲେଜ ଅଧ୍ୟକ୍ଷ ଅଡୁଆରେ ପଡ଼ିଥିଲେ ଏବଂ ଏନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା। ଏହାଦ୍ୱାରା ବାହାରୁ ପାଠ ପଢିବାକୁ ଆସୁଥିବା ଛାତ୍ରୀଛାତ୍ର ଭୟଭିତ ହେବା ସହ ନିଜକୁ ସୁରକ୍ଷିତ ମଣୁନାହାନ୍ତି ଓ ଅଭିଭାବକ ଏଠାରେ ପିଲାମାନଙ୍କୁ ପାଠ ପଢ଼ାଇବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଅନେକ ସମୟରେ ମହାବିଦ୍ୟାଳୟ ପରିସରରେ ଏକାଧିକ ଅଣଛାତ୍ର ପଶି ଅରାଜକତା ସୃଷ୍ଟି କରୁଛନ୍ତି। ଯଦ୍ୱାରା ଶିକ୍ଷାର୍ଥୀ ମାନଙ୍କ ପାଠ ପାରେ ବ୍ୟାଘାତ ସୃଷ୍ଟି ହେଉଛି। ଏହାର ମୁକାବିଲା ପାଇଁ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।