ଭଞ୍ଜନଗର,୧୬।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରରେ ଜବରଦଖଲ ସମସ୍ୟା ବଢିବାରେ ଲାଗିଛି। ଦାୟିତ୍ୱରେ ରହୁଥିବା ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଯାହାକି ଭବିଷ୍ୟତ ପାଇଁ ଚିନ୍ତାର କାରଣ ହୋଇଛି। ଜବରଦଖଲ ସମସ୍ୟା ବୃଦ୍ଧି ଯୋଗୁ ସହରର ରାସ୍ତା ଗୁଡ଼ିକ ଧୀରେ ଧୀରେ ସଙ୍କୁଚିତ ହେବାରେ ଲାଗିଛି। ଫଳରେ ଟ୍ରାଫିକ ସମସ୍ୟା ଦେଖା ଦେଇଛି। ଯାନବାହନ ଚଳାଚଳରେ ବାଧାପ୍ରାପ୍ତ ହେଉଛି। ଅନ୍ୟପକ୍ଷେ ଡ୍ରେନରେ ମଇଳା ପାଣି ନିଷ୍କାସନ ମଧ୍ୟ ଠିକ୍ ଭାବେ ହେଉ ନାହିଁ।
ଏହିଭଳି ପରିସ୍ଥିତିରେ ରେଡକ୍ରସ ରୋଡର ଲୋହାରାଖଣ୍ଡି ନଦୀ ଆଡ଼ିବନ୍ଧକୁ ଲାଗି ଥିବା କିଛି ମୂଲ୍ୟବାନ ଜମିକୁ କିଛି ପ୍ରଭାବଶାଳୀ ବ୍ୟକ୍ତି ଜବରଦଖଲ କରିଛନ୍ତି। ସେଠାରେ ବଡ ବଡ ବେସରକାରୀ ଅନୁଷ୍ଠାନ ଗଢ଼ି ଉଠୁଛି। ଏହାଦାରା ଆଗାମୀ ଦିନରେ ରେଡକ୍ରସ ରୋଡର ପାଣି ନିଷ୍କାସନରେ ମୁଖ୍ୟ ସମସ୍ୟା ହେବ। ତେଣୁ ଜବରଦଖଲ ଉଚ୍ଛେଦ କରିବା ପାଇଁ ଦାବୀ ହୋଇଛି।
ସୋମବାର ଏନେଇ ଖଲାସୀସାହି ସଚେତନ ନାଗରିକ ମଞ୍ଚ ପକ୍ଷରୁ ଏଡିଏମଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରରେ ଜବରଦଖଲକାରୀଙ୍କୁ ତୁରନ୍ତ ଉଚ୍ଛେଦ କରିବାକୁ ଉଲ୍ଲେଖ କରାଯାଇଛି। ନଚେତ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ମଞ୍ଚର ସମ୍ପାଦକ ମୂରଲୀଧର ପଣ୍ଡା ଚେତାବନୀ ଦେଇଛନ୍ତି।
ଏପରିକି ସହରକୁ ଲାଗିଥିବା ଡିହପଢ଼ାଳ ପଞ୍ଚାୟତର ଅନେକ ଜମିକୁ ବେନିୟମ ଭାବେ କିସମ ବଦଲା ଯାଇଛି। ବ୍ୟବସାୟୀମାନେ ଜମିରେ ମାଟି ପକାଇ ଉଚ୍ଚତା ବଢାଇ ଦେଉଛନ୍ତି। ଫଳରେ ଉକ୍ତ ପ୍ଲଟକୁ ଲାଗିଥିବା ଜମିଗୁଡିକରୁ ଆଉ ପାଣି ନିଷ୍କାସନ ହୋଇପାରୁ ନାହିଁ। ଫଳରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ତେଣୁ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଚାଷୀ ସୁନିଲ ରଞ୍ଜନ ପଣ୍ଡା, ପ୍ରସନ୍ନ ପଣ୍ଡା, ପ୍ରମୋଦ ସ୍ବାଇଁ, ବିଦ୍ୟାଧର ସ୍ବାଇଁ ପ୍ରମୁଖ ଦାବି କରିଛନ୍ତି। ଏଥିସହ ଏଡିଏମ ଦେବଦତ୍ତ ପଣ୍ଡାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।