ବଲିଉଡ୍ ପରେ ଆଜିକାଲି ହଲିଉଡ୍ରେ ରାଜ୍ କରୁଛନ୍ତି ପିସି ଓରଫ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା। ହଲିଉଡ୍ରେ ସେ ଯେତେ ପ୍ରୋଜେକ୍ଟ କାମ କରନ୍ତୁ ନା କାହିଁକି ସେ ବଲିଉଡ୍କୁ ଆଦୌ ଭୁଲି ନାହାନ୍ତି। ସୁଯୋଗ ମିଳିଲେ ସେ ବଲିଉଡ୍ ଗୀତରେ ଝୁମନ୍ତି। କେବଳ ଏତିକି ନୁହେଁ, ସ୍ବାମୀ ତଥା ହଲିଉଡ ଗାୟକ ନିକ ଜୋନାସ ଏବଂ ତାଙ୍କ ଭାଇମାନଙ୍କୁ ବଲିଉଡ୍ ଗୀତରେ ନାଚିବାକୁ ବାଧ୍ୟ କରାନ୍ତି। ନିକଟରେ ନିକ ତାଙ୍କ କନସର୍ଟ ପୂର୍ବରୁ ହ୍ରିତିକ ରୋଶନ ଏବଂ କିୟାରା ଆଡଭାନୀଙ୍କ ‘ଆୱାନ ଜୱାନ’ ଗୀତରେ ଝୁମୁଥିବାର ଦେଖାଯାଇଥିଲା। ପ୍ରିୟଙ୍କା ମଧ୍ୟ ନିକ ଏବଂ ତାଙ୍କ ଭାଇମାନଙ୍କ ସହିତ ଏକ ବଲିଉଡ ଗୀତରେ ନାଚୁଥିବାର ଦେଖାଯାଇଛି। ନିକ ଇନଷ୍ଟାଗ୍ରାମରେ ଏହାର ଏକ ଭିଡିଓ ଶେୟାର କରିଛନ୍ତି।
ସୋସିଆଲ ମିଡିଆରେ ଶେୟାର ହୋଇଥିବା ଏହି ଭିଡିଓରେ, ସମଗ୍ର ପରିବାର ‘କୁର୍ବାନି’ ଫିଲ୍ମର ସୁପରହିଟ ଗୀତ ‘ଆପ ଜୈସା କୋଇ’ର ତାଳେ ତାଳେ ନାଚୁଥିବାର ଦେଖାଯାଇଥିଲା। ଏହା ଦେଖି ତାଙ୍କ ପ୍ରଶଂସକମାମାନେ ମଧ୍ୟ ବେଶ୍ ଖୁସି ଅଛନ୍ତି। ଏହି ଭିଡିଓ କୌଣସି ପ୍ରମୁଖ କାର୍ଯ୍ୟକ୍ରମ କିମ୍ବା ଶୁଟିଂର ନୁହେଁ, ବରଂ କନସର୍ଟ ପୂର୍ବରୁ ଏକ ମଜାଦାର ମୁହୂର୍ତ୍ତ ଥିଲା। ନିକ ଜୋନାସ ଏହାକୁ ତାଙ୍କର ‘ପ୍ରି-ଶୋ ଏନର୍ଜି ଗୀତ’ ଭାବରେ ବର୍ଣ୍ଣନା କରିଛନ୍ତି।
ଜୋନାସ ବ୍ରଦର୍ସ ପୂର୍ବରୁ ଅନେକ ଥର ବଲିଉଡ ସଙ୍ଗୀତ ଉପରେ ଆଧାରିତ ରିଲ ତିଆରି କରିଛନ୍ତି। ନିକଟରେ ସେମାନେ ରଣଭୀର ସିଂହଙ୍କ ଫିଲ୍ମ ‘ଧୂରନ୍ଧର’ର ‘ଶରାରତ’ ଗୀତରେ ନାଚିଥିଲେ।