କମାଲ କରିବେ ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ: ଏସ୍‌ଏସ୍‌ ରାଜମୌଲିଙ୍କ ଆଗାମୀ ଫିଲ୍ମ ‘ବାରାଣସୀ’ର ନିର୍ମାତା ନିକଟରେ ପ୍ରଥମ ଲୁକ୍‌ ରିଲିଜ କରିଛନ୍ତି, ଯାହା ପ୍ରଶଂସକମାନଙ୍କୁ ବହୁତ ଉତ୍ସାହିତ କରିଛି। ଏହି ଫିଲ୍ମରେ ପ୍ରଥମଥର ପାଇଁ ପ୍ରିୟଙ୍କା ଚୋପ୍ରା ଏବଂ ମହେଶ ବାବୁ ଏକାଠି ସ୍କ୍ରିନ୍‌ ଶେୟାର କରିବେ।

ସୋମବାର ଅଭିନେତ୍ରୀଙ୍କ ସ୍ବାମୀ ନିକ୍‌ ଜୋନାସ୍‌ ଫିଲ୍ମ ବିଷୟରେ ଏକ ପୋଷ୍ଟ ଶେୟାର କରିଛନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମ ଷ୍ଟୋରିରେ ଫିଲ୍ମଟି ଶେୟାର କରି ଲେଖିଛନ୍ତି, ‘ବାରାଣସୀର ଚମତ୍କାର ଟିମ୍‌କୁ ଅଭିନନ୍ଦନ। ମୁଁ ନିଶ୍ଚିତ ଯେ, ଏହି ଫିଲ୍ମଟି ଦର୍ଶକଙ୍କ ସହିତ ନିଶ୍ଚିତ ଭାବରେ ହିଟ୍‌ ହେବ।”

ପ୍ରଥମ ଲୁକ୍‌ରେ ଜଙ୍ଗଲ, ପଶୁପକ୍ଷୀ ଏବଂ ଏକ ରହସ୍ୟମୟ ଗୁମ୍ଫାର ଦୃଶ୍ୟ ରହିଛି, ମହେଶ ବାବୁ ନନ୍ଦୀଙ୍କ ଉପରେ ବସି ହାତରେ ତ୍ରିଶୂଳ ଧରିଛନ୍ତି, ଯାହା ପ୍ରଶଂସକମାନଙ୍କୁ ବହୁତ ଉତ୍ସାହିତ କରିଛି। ସେମାନେ ଏହାକୁ ଏସ୍‌ଏସ୍‌ ରାଜମୌଲିଙ୍କ ଐତିହାସିକ ଏବଂ ପୌରାଣିକ ଚଳଚ୍ଚିତ୍ରର ପରବର୍ତ୍ତୀ ବଡ଼ ଷ୍ଟେପ୍‌ ବୋଲି କହୁଛନ୍ତି।

ପ୍ରିୟଙ୍କା ଏବଂ ପୃଥ୍ବୀରାଜ ସୁକୁମାରନଙ୍କ ଖଳନାୟକ ଅବତାର ଫିଲ୍ମକୁ ବେଶ୍‌ ଆକର୍ଷଣ କରିବ। ଏହି ଫିଲ୍ମ ସହିତ ରାଜାମୌଲି ପୁଣିଥରେ ଦର୍ଶକଙ୍କୁ ପାରମ୍ପରିକ ଐତିହାସିକ କାଳ୍ପନିକ ଜଗତକୁ ଫେରାଇ ଆଣିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ରବିବାର ଟିଜର ଲଞ୍ଚ ଇଭେଣ୍ଟରେ ସେ ଏହା ପ୍ରକାଶ କରିଥିଲେ। ପ୍ରିୟଙ୍କାଙ୍କ ପ୍ରଥମ ଲୁକ୍‌ ମଧ୍ୟ ପୂର୍ବରୁ ରିଲିଜ ହୋଇଥିଲା, ଯେଉଁଥିରେ ଅଭିନେତ୍ରୀଙ୍କୁ ହଳଦିଆ ଶାଢ଼ି ପିନ୍ଧି ଏକ ବନ୍ଧୁକ ଧରିଥିବା ଦେଖାଯାଇଥିଲା।

Dharitri – Odisha’s No.1 Odia Daily