Categories: Home Leftଖେଳ

ସେଲଫି ବିବାଦ ପରେ ପ୍ରଥମଥର ମୁହଁ ଖୋଲିଲେ ପୃଥ୍ବୀ ଶ’

ନୂଆଦିଲ୍ଲୀ,୯।୩: ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କ ଗତ କିଛି ଦିନ ହେବ ଭଲ ଚାଲିନାହିଁ। ଭାରତୀୟ କ୍ରିକେଟ ଟିମ୍‌ରୁ ବାଦ୍‌ ପଡିବା ସହ ବିବାଦରେ ଛନ୍ଦି ହୋଇପଡିଛନ୍ତି। ନିକଟରେ ସେଲଫି ବିବାଦକୁ ନେଇ ସେ ଚର୍ଚ୍ଚାରେ ଥିଲେ। ରିପୋର୍ଟ ଅନୁଯାୟୀ, ମୁମ୍ବାଇ ବିମାନବନ୍ଦର ଏକ ତାରକା ହେଟେଲରେ ପୃଥ୍ବୀ ଶ’ ଉପସ୍ଥିତ ଥିବା ବେଳେ ସପନା ଗିଲ ଏବଂ ତାଙ୍କ ସାଙ୍ଗମାନେ ସେଲଫି ନେବାକୁ ଉଦ୍ୟମ କରିଥିଲେ। ହେଲେ ପୃଥ୍ବୀ ଶ’ ମନା କରିଦେଇଥିଲେ। ପରବର୍ତ୍ତୀ ସମୟରେ କ୍ରିକେଟରଙ୍କ ଉପରକୁ ଆକ୍ରମଣ ହୋଇଥିଲା। ଏପରିକି ଉତ୍ତ୍ୟକ୍ତ ଲୋକେ କାର୍‌ ଭଙ୍ଗାରୁଜା କରିଥିଲେ। ଏନେଇ ପୃଥ୍ବୀଙ୍କ ସହ ଥିବା ବନ୍ଧୁ ଥାନାରେ ଅଭିଯୋଗ କରିଥିଲେ। ତେବେ ଏହି ଘଟଣାକୁ ନେଇ ପୃଥ୍ବୀ ଶ’ ନୀରବ ଥିଲେ। ହେଲେ ବର୍ତ୍ତମାନ କ୍ରିକେଟର ସୋସିଆଲ ମିଡିଆରେ ଏକ ରହସ୍ୟମୟ ବାର୍ତ୍ତା ଲେଖିଛନ୍ତି, ଯାହା ସେଲଫି ବିବାଦ ସହ ଜଡିତ ବୋଲି କୁହାଯାଉଛି।

ମାର୍ଚ୍ଚ ୯ରେ ପୃଥ୍ବୀ ଶ’ ଇନଷ୍ଟାଗ୍ରାମ ଷ୍ଟୋରୀ ଶେୟାର କରିଛନ୍ତି। ଯେଉଁଥିରେ ଲେଖାଅଛି ଯେ, କିଛି ଲୋକ ତୁମକୁ ସେ ପର୍ଯ୍ୟନ୍ତ ଭଲ ପାଇବେ ଯେ ପର୍ଯ୍ୟନ୍ତ ତୁମଠାରେ ତାଙ୍କର ଆବଶ୍ୟକତା ଅଛି। ଯେବେବେଳେ ଆବଶ୍ୟକ ସରିଯିବ, ସେତେବେଳେ ତାଙ୍କର ଭରସା ମଧ୍ୟ କମିଯିବ। ଏହି ଇନଷ୍ଟାଗ୍ରାମ ଷ୍ଟୋରୀ ଆଗରେ ଏବଂ ପଛରେ ପୃଥ୍ବୀ ଶ’ ଆଉ କିଛି ଲେଖିନାହାନ୍ତି। ହେଲେ ଏହା ନିଶ୍ଚିତ ଭାବରେ ବୁଝାପଡୁଛି ଯେ, ଟିମ୍‌ ଇଣ୍ଡିଆରେ ସ୍ଥାନ ନ ମିଳିବା ଏବଂ ବିବାଦରେ ଜଡିତ ଥିବାରୁ କ୍ରିକେଟର ସମସ୍ୟା ଭତରେ ଅଛନ୍ତି।

Share