ମୁମ୍ବାଇ,୮।୩: ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ ଓପନର୍ ପୃଥ୍ବୀ ଶ’ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ସେ ନିଜର ଦୀର୍ଘ ଦିନର ବାନ୍ଧବୀ ତଥା ଜଣାଶୁଣା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଆକୃତି ଅଗ୍ରୱାଲଙ୍କ ସହ ନିର୍ବନ୍ଧ କରିଛନ୍ତି। ନିକଟରେ ପୃଥ୍ବୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ରୋମାଣ୍ଟିକ ଫଟୋ ଶେୟାର କରି ଏହି ସୂଚନା ଦେଇଛନ୍ତି।
ପୃଥ୍ବୀ ଶ’ ଶେୟାର କରିଥିବା ଫଟୋଗୁଡ଼ିକରେ ସେ ଆଣ୍ଠୁମାଡ଼ି ବସି ଆକୃତିଙ୍କୁ ମୁଦି ପିନ୍ଧାଉଥିବାର ଦେଖାଯାଉଛି। ଏହି ଫଟୋ ସହିତ ସେ ଏକ ସୁନ୍ଦର କ୍ୟାପସନ ମଧ୍ୟ ଲେଖିଛନ୍ତି, ଯେଉଁଥିରେ ସେ ଆକୃତିଙ୍କୁ ନିଜ ଜୀବନର ’ପରଫେକ୍ଟ ଇନିଂସ’ ବୋଲି ବର୍ଣ୍ଣନା କରିଛନ୍ତି। ଏହି ପୋଷ୍ଟ ଭାଇରାଲ ହେବା ପରେ କ୍ରିକେଟ ଜଗତର ବହୁ ସେଲିବ୍ରିଟି ଏବଂ ପ୍ରଶଂସକମାନେ ଏହି ଯୋଡ଼ିକୁ ଶୁଭେଚ୍ଛା ଜଣାଇଛନ୍ତି।
ଆକୃତି ଅଗ୍ରୱାଲ କେବଳ ପୃଥ୍ବୀଙ୍କ ବାନ୍ଧବୀ ନୁହଁନ୍ତି, ବରଂ ସେ ନିଜେ ମଧ୍ୟ ଜଣେ ଜଣାଶୁଣା ସେଲିବ୍ରିଟି। ଇନଷ୍ଟାଗ୍ରାମରେ ତାଙ୍କର ପ୍ରାୟ ୩.୨ ମିଲିୟନ ଫଲୋଅର୍ସ ଅଛନ୍ତି। ତାଙ୍କର ଏକ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ରହିଛି, ଯେଉଁଥିରେ ପ୍ରାୟ ୮୮ ହଜାର ସବସ୍କ୍ରାଇବର ଅଛନ୍ତି।ସେ ମଡେଲିଂ ଏବଂ ଡିଜିଟାଲ କଣ୍ଟେଣ୍ଟ ସହିତ ଅଭିନୟ ଦୁନିଆରେ ମଧ୍ୟ ପାଦ ଥାପିଛନ୍ତି। ଖୁବଶୀଘ୍ର ସେ ’ତ୍ରିମୁଖୀ’ ନାମକ ଏକ ଫିଲ୍ମରେ ନଜର ଆସିବେ। ମୂଳତଃ ଲକ୍ଷ୍ନୌର ବାସିନ୍ଦା ଆକୃତି ଏବେ ମୁମ୍ବାଇରେ ରୁହନ୍ତି। ସେ ତାଙ୍କର ଲାଇଫଷ୍ଟାଇଲ ଏବଂ ଫ୍ୟାଶନ ଟିପ୍ସ ପାଇଁ ଲୋକଙ୍କ ମଧ୍ୟରେ ବେଶ ଲୋକପ୍ରିୟ।
ରିପୋର୍ଟ ଅନୁଯାୟୀ, ପୃଥ୍ବୀ ଏବଂ ଆକୃତି ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଥିଲେ। ତେବେ ସେମାନେ ନିଜ ସମ୍ପର୍କକୁ ଗୋପନ ରଖିଥିଲେ। ଏହି ନିର୍ବନ୍ଧ ପରେ ତାଙ୍କ ସମ୍ପର୍କ ଏବେ ଅଫିସିଆଲ ହୋଇଛି। କ୍ରିକେଟ ଏବଂ ମନୋରଞ୍ଜନ ଜଗତର ଏହି ନୂଆ ଯୋଡ଼ିକୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି।