କଟକ,୨୭।୧୧(କାର୍ତ୍ତିକ ସାହୁ): ଜେଲରେ ଚିକିତ୍ସା ଅବହେଳାରୁ କଏଦୀଙ୍କ ମତ୍ୟୁ ମାମଲାରେ ହାଇକୋର୍ଟ ମୃତ ବ୍ୟକ୍ତିଙ୍କ ସ୍ତ୍ରୀଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟର ବିଚାରପତି ବିରଜା ପ୍ରସନ୍ନ ଶତପଥୀ କ୍ଷତିପୂରଣ ୬ ସପ୍ତାହ ମଧ୍ୟରେ ଦେବାକୁ ଜେଲ କର୍ତ୍ତୃପକ୍ଷଙ୍କୁ ନିଦ୍ଦେର୍ର୍ଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ, ଆବେଦନକାରିଣୀଙ୍କ ସ୍ବାମୀ ଓପେଗା ଏବଂ ପାମସୋର ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ଏକ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୨୦୧୬ ସେପ୍ଟେମ୍ବର ୨୦ରେ ପିପିଲି ଥାନା ପୋଲିସ ଗିରଫ କରି ନିମାପଡ଼ା ଉପକାରାଗାରରେ ରଖାଯାଇଥିଲା। ସେଠାରେ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଥିଲା। ସେ ମଧୁମେହ ରୋଗରେ ପୀଡ଼ିତ ହୋଇଥିଲେ ମଧ୍ୟ ଦୀର୍ଘଦିନ ଧରି ଠିକ ଭାବେ ତାଙ୍କର ଚିକିତ୍ସା କରାଯାଇ ନ ଥିଲା। ଫଳରେ ତାଙ୍କ ସ୍ବାସ୍ଥ୍ୟ କ୍ରମାଗତ ଭାବେ ଖରାପ ହୋଇଥିଲା। ମୃତକଙ୍କ ପତ୍ନୀ ପିପିଲି ଜେଏମ୍ଏଫସି ଅଦାଲତରେ ଏନେଇ ଆବେଦନ କରିବା ପରେ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ୨୦୧୭ ଜାନୁଆରୀ ୨୫ରେ ପ୍ରଥମେ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ପରେ କଟକ ଏସ୍ବି ମେଡିକାଲକୁ ରେଫର କରାଯାଇଥିଲା।
ସେଠାରେ ୨୦୧୭ ଜାନୁଆରୀ ୨୬ରେ କଏଦୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଆବେଦନକାରିଣୀ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପାଇଁ ଜେଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସ୍ବାମୀଙ୍କୁ ଉପଯୁକ୍ତ ଚିକିତ୍ସା ନ ମିଳିବାରୁ ମତ୍ୟୁ ହୋଇଛି ବୋଲି ଅଭିଯୋଗ କରିଥିଲେ। ଏଥିପାଇଁ ତାଙ୍କୁ କ୍ଷତିପୂରଣ ବାବଦକୁ ୫୦ ଲକ୍ଷ ଟଙ୍କା ଦେବାକୁ ପ୍ରାର୍ଥନା କରିଥିଲେ।