କିଙ୍ଗ୍‌, କୁଇନ ହେବା ପାଇଁ ପ୍ରିନ୍ସ ଓ୍ବିଲିୟମ, ପ୍ରିନ୍ସେସ କେଟ୍‌ଙ୍କ ପ୍ରସ୍ତୁତି ଆରମ୍ବ

ଲଣ୍ଡନ, ୧୨।୧୨:ବ୍ରିଟେନ୍‌ର ଓ୍ବେଲ୍ସ ଯୁବରାଜ ଓ୍ବିଲିୟମ (୪୨) ଓ ଯୁବରାଣୀ କେଟ ମିଡିଲଟନ୍‌ (୪୨) କିଙ୍ଗ୍‌ ଓ କୁଇନ ହେବା ପାଇଁ ପ୍ରସ୍ତୁତି କରୁଛନ୍ତି ବୋଲି ଗୁରୁବାର ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ରୟାଲ ବାୟୋଗ୍ରାଫର ସାଲି ସ୍ମିଥ୍‌ଙ୍କ ସୂଚନା ଆଧାରରେ ଏହି ରିପୋର୍ଟରେ କୁହାଯାଇଛି, ଓ୍ବେଲ୍ସର କିଙ୍ଗ୍‌ ଓ କୁଇନ୍‌ ହେବା ପାଇଁ ଉଭୟ ଓ୍ବିଲିୟମ ଓ କେଟ୍‌ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଗତ ଫେବୃଆରୀରୁ କିଙ୍ଗ୍‌ ଅଫ୍‌ ଓ୍ବେଲ୍ସ ଚାର୍ଲସ୍‌ ତୃତୀୟ (୭୬) କର୍କଟ ରୋଗରେ ପୀଡ଼ିତ ଅଛନ୍ତି। ଯଦିଓ କିଙ୍ଗ୍‌ ଚାଲର୍‌ସ ଦୃଢ଼ ସଂକଳ୍ପର ସହ ନିଜ କର୍ତ୍ତବ୍ୟକୁ ସମ୍ପାଦନ କରୁଛନ୍ତି, ତଥାପି କର୍କଟ ରୋଗର ଚିକିତ୍ସା ଚାଲିଥିବାରୁ ତାଙ୍କୁ ଏକ ସୀମୀତ ସୀମା ମଧ୍ୟରେ କାର୍ଯ୍ୟ କରିବାକୁ ପଡ଼ୁଛି। ପରିଣାମ ସ୍ବରୁପ ଓ୍ବିଲିୟମ ଅଧିକ ଦାୟିତ୍ୱ ଗ୍ରହଣ କରୁଛନ୍ତି ଏବଂ ସେ ଓ କେଟ୍‌ ସେମାନଙ୍କର ଭବିଷ୍ୟତର ଭୂମିକା ପାଇଁ ସମୟ ପୂର୍ବରୁ ପ୍ରସ୍ତୁତ ହେଉଥିବା ଏହି ରିପୋର୍ଟ କହିଛି। କର୍କଟ ରୋଗରେ ଆକ୍ରାନ୍ତ ହେଲା ପରେ ଚାଲର୍‌ସଙ୍କୁ ତାଙ୍କର ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ବହୁଳ ମାତ୍ରାରେ କାଟିବାକୁ ପଡ଼ିଛି। ଫଳରେ ତାଙ୍କ ବଡ଼ ପୁଅ ଓ୍ବିଲିୟମ ବିଭିନ୍ନ ହାଇ ପ୍ରୋଫାଇଲ ଇଭେଣ୍ଟରେ କିଙ୍ଗ୍‌ ଅଫ୍‌ ଓ୍ବେଲ୍ସଙ୍କ ପ୍ରତିନିଧି ଭାବେ ଯୋଗ ଦେଉଛନ୍ତି। ନିକଟରେ ପ୍ୟାରିସ୍‌ରେ ଆୟୋଜିତ ‘ନୋଟ୍ରେ ଡେମ୍‌ କ୍ୟାଥେଡ୍ରଲ’ର ପୁନଃ ଉଦ୍‌ଘାଟନ କାର୍ଯ୍ୟକ୍ରମରେ କିଙ୍ଗ୍‌ ଚାର୍ଲସ୍‌ ତୃତୀୟ ସ୍ବାସ୍ଥ୍ୟଗତ କାରଣରୁ ଯୋଗଦେଇ ପାରି ନ ଥିଲେ। ତେଣୁ ପ୍ରିନ୍ସ ଓ୍ବିଲିୟମ ଏହି କାର୍ଯ୍ୟକ୍ରମରେ କିଙ୍ଗ୍‌ ଅଫ୍‌ ଓ୍ବେଲ୍ସଙ୍କର ପ୍ରତିନିଧିତ୍ୱ କରିଥିଲେ।
ପ୍ରିନ୍ସେସ୍‌ ଅଫ୍‌ ଓ୍ବେଲ୍ସ କେଟ୍‌ ଗତ ମାର୍ଚ୍ଚରେ କ୍ୟାନ୍‌ସର ପୀଡ଼ିତ ଥିବା ନେଇ ଘୋଷଣା କରିଥିଲେ। ଏଥିପାଇଁ ସେ ପ୍ରତିଷେଧକ କେମୋଥେରାପି ନେଉଥିବା ଜଣାଇଥିଲେ। କ୍ୟାନ୍‌ସରରେ ପୀଡ଼ିତ ଥିବାରୁ ଚଳିତ ବର୍ଷ ତାଙ୍କୁ ସର୍ବସାଧାରଣ ସ୍ଥାନରେ ବିଶେଷ ଭାବେ ଦେଖିବାକୁ ମିଳି ନ ଥିଲା। ତେବେ ତାଙ୍କ କେମୋଥେରାପି ଶେଷ ହୋଇଛି ଏବଂ ସେ କ୍ୟାନ୍‌ସର ମୁକ୍ତ ରହିବା ଉପରେ ଫୋକସ୍‌ କରୁଛନ୍ତି ବୋଲି ଗତ ସେପ୍ଟେମ୍ବରରେ କେଟ୍‌ ସୂଚନା ଦେଇଥିଲେ। ତେଣୁ ସମ୍ପ୍ରତି କେଟ୍‌ଙ୍କ ସ୍ବାସ୍ଥ୍ୟକୁ ଓ୍ବିଲିୟମ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ସେଥିପାଇଁ ସେ ଅଧିକ ସମୟ ପରିବାର ସହ ବିତାଉଛନ୍ତି। ଫଳରେ ଓ୍ବିଲିୟମଙ୍କୁ ଭବିଷ୍ୟତର ଭୂମିକା ପାଇଁ ଅଧିକ ଚିନ୍ତା କରିବାର ସମୟ ମିଳିଛି ବୋଲି ସ୍ମିଥ୍‌ କହିଛନ୍ତି।