@ମୋଦିଆର୍କାଇଭ୍‌ରେ ପ୍ରଧାନମନ୍ତ୍ରୀଙ୍କ ଜନସମ୍ପର୍କ ଅଭିଯାନ

ନୂଆଦିଲ୍ଲୀ,୨୫ା୧: ଗତ ସପ୍ତାହରେ ନୂଆଦିଲ୍ଲୀରେ ଭାଜପା ଜାତୀୟ କାର୍ଯ୍ୟକାରିଣୀ ବୈଠକ ଚାଲିଥିବାବେଳେ @ମୋଦିଆର୍କାଇଭ୍‌ ନାମକ ଟୁଇଟର ହ୍ୟାଣ୍ଡେଲ୍‌ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେତେକ ପୁରୁଣା ଫଟୋ ଶେୟାର କରାଯାଇଥିଲା। ୧୯୯୬ରେ ଭୋପାଳରେ ଆୟୋଜିତ ଭାଜପା କାର୍ଯ୍ୟକାରିଣୀ ପରଠୁ ବିଭିନ୍ନ ସମ୍ମିଳନୀବେଳର ଫଟୋଗୁଡ଼ିକୁ ଏଥିରେ ସାମିଲ କରାଯାଇଥିଲା। ମୋଦିଙ୍କ ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ଲାଲ୍‌କୃଷ୍ଣ ଆଡଭାନୀ, ମୁରଲୀ ମନୋହର ଜୋଷୀ ଓ ସ୍ବର୍ଗତ ପ୍ରମୋଦ ମହାଜନଙ୍କ ଭଳି ଭାଜପା ନେତା ଥିବା ଏଥିରେ ଦେଖିବାକୁ ମିଳିଥିଲା। ଏହି ଟୁଇଟର ହ୍ୟାଣ୍ଡେଲରୁ ଗତ କିଛିମାସ ଧରି ଶେୟାର କରାଯାଇଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଜୀବନ ସମ୍ପର୍କିତ କେତେକ ଫଟୋ ସୋସିଆଲ ମିଡିଆ ୟୁଜର୍ସଙ୍କ ଦୃଷ୍ଟି ଆକର୍ଷଣ କରିଛି। ୨୦୨୨ ସେପ୍ଟେମ୍ବରରେ ତିଆରି କରାଯାଇଥିବା ଏହି ହ୍ୟାଣ୍ଡେଲର ୪୯,୦୦୦ ଫଲୋୟର୍ସ ଅଛନ୍ତି। ଏହାକୁ ପ୍ରଧାନମନ୍ତ୍ରୀଙ୍କ ସୋସିଆଲ ମିଡିଆ ଆଉଟ୍‌ରିଚ୍‌ ଅଭିଯାନର ଏକ ଅଂଶବିଶେଷ ବୋଲି କୁହାଯାଇଛି।