ଦୁଃଖଦ ଐତିହାସିକ ଘଟଣାର ରାଜନୀତିକରଣ କରୁଛନ୍ତି ପ୍ରଧାନମନ୍ତ୍ରୀ, କଂଗ୍ରେସର ସମାଲୋଚନା…

ନୂଆଦିଲ୍ଲୀ, ୧୪।୮ : କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରାଯାଇଛି। ରବିବାର କଂଗ୍ରେସ ଅଭିଯୋଗ କରିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଗଷ୍ଟ ୧୪ରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ କରିବା ପଛରେ ପ୍ରକୃତ ଉଦ୍ଦେଶ୍ୟ ଭିନ୍ନ ରହିଛି। ଏଭଳି ଏକ ଦୁଃଖଦ ଐତିହାସିକ ଘଟଣାର ସେ ରାଜନୀତିକରଣ କରୁଛନ୍ତି। ଏହି ଦିବସ ପାଳନକୁ ସେ ତାଙ୍କ ରାଜନୈତିକ ଲାଭ ପାଇଁ ବ୍ୟବହାର କରୁଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଗତ ବର୍ଷ ଘୋଷଣା କରିଥିଲେ ଯେ ଲୋକଙ୍କ ସଂଗ୍ରାମ ଏବଂ ବଳିଦାନକୁ ସ୍ମରଣ କରି ଅଗଷ୍ଟ ୧୪ ରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ କରାଯିବ। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ ଘୃଣା ଏବଂ ହିଂସାତ୍ମକ ଭାବନା ସୃଷ୍ଟି କରିବା ଲାଗି ବିଭାଜନର ଦୁଃଖଦ ଘଟଣାକୁ ବ୍ୟବହାର କରାଯିବା ଉଚିତ ନୁହେଁ।

ଘୃଣାର ରାଜନୀତି ପରାଜିତ ହେବ ଏବଂ ଗାନ୍ଧୀ, ନେହେରୁ, ପଟେଲ ଏବଂ ଅନ୍ୟାନ୍ୟ ନେତାଙ୍କ ଉତ୍ତରାଧିକାରୀଙ୍କୁ ଆଗକୁ ବଢ଼଼ାଇ କଂଗ୍ରେସ ଦେଶକୁ ଏକଜୁଟ କରିବ ବୋଲି ସେ କହିଛନ୍ତି। ଜୟରାମ ରମେଶ ଟୁଇଟ କରି ଏଭଳି ଅଭିଯୋଗ ଆଣିଛନ୍ତି। ଏହି ଐତିହାସିକ ଘଟଣାରେ ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇ ପ୍ରାଣ ହରାଇଥିଲେ। ସେମାନଙ୍କର ବଳିଦାନକୁ ଭୁଲିଯିବା କିମ୍ବା ତାହାକୁ ଅପମାନିତ କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ସତ୍ୟ ହେଉଛି ଯେ ସାବରକର ଦୁଇଟି ରାଷ୍ଟ୍ରର ନୀତି ଦେଇଥିଲେ ଏବଂ ଜିନ୍ନା ଏହାକୁ ଆଗକୁ ନେଇଥିଲେ। ପଟେଲ ଲେଖିଛନ୍ତି ଯେ ମୁଁ ଅନୁଭବ କରୁଛି ଯେ ଯଦି ବିଭାଜନକୁ ଗ୍ରହଣ ନ କରାଯାଏ ତେବେ ଭାରତ ଅନେକ ଭାଗରେ ବିଭକ୍ତ ହୋଇଯିବ।

ଏହା ସହିତ ରମେଶ ପଚାରିଛନ୍ତି, ଶରତ ଚନ୍ଦ୍ର ବୋଷଙ୍କ ଇଚ୍ଛା ବିରୁଦ୍ଧରେ ବଙ୍ଗଳା ବିଭାଜନକୁ ସମର୍ଥନ କରିଥିବା ତଥା ବିଭାଜନ ସମୟରେ ସ୍ବାଧୀନ ଭାରତର ପ୍ରଥମ କ୍ୟାବିନେଟରେ ଯୋଗ ଦେଇଥିବା ଜନସଂଘ ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖାର୍ଜୀ ଆଜି ପ୍ରଧାନମନ୍ତ୍ରୀ ମନେ ପକାଇବେ କି?

ରମେଶ କହିଛନ୍ତି, ଆଧୁନିକ ଭାରତରେ ସାବରକର ଏବଂ ଜିନ୍ନାଙ୍କ ଦେଶକୁ ଭାଗ ଭାଗ କରିବା ପାଇଁ ଉଦ୍ୟମ ଆଜି ବି ଜାରି ରହିଛି। ଗାନ୍ଧୀ, ନେହେରୁ, ପଟେଲ ଏବଂ ଅନ୍ୟାନ୍ୟ ନେତାଙ୍କ ପରମ୍ପରାକୁ ନେଇ ଭାରତୀୟ ଜାତୀୟ କଂଗ୍ରେସ ଏକତା ପାଇଁ ଉଦ୍ୟମ ଜାରି ରଖିଛି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଏକ ଟୁଇଟରେ ବିଭାଜନ ସମୟରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଇତିହାସର ଦୁଃଖଦ ସମୟର ପୀଡିତଙ୍କ ଧର୍ଯ୍ୟ ଏବଂ ଦୃଢ଼ତାକୁ ସେ ପ୍ରଶଂସା କରିଥିଲେ। ଏହାର ଜବାବରେ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରାଯାଇଥିଲା।

Share