Categories: Home Middleଖେଳ

କ୍ରିକେଟର ସ୍ମୃତି ମନ୍ଧାନା ଓ ପଲାଶ ମୁଛଲଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ,୨୦।୧୧: ଭାରତୀୟ କ୍ରିକେଟ ତାରକା ସ୍ମୃତି ମନ୍ଧାନା ଆସନ୍ତା ନଭେମ୍ବର ୨୩ ତାରିଖରେ ସଙ୍ଗୀତ ନିର୍ଦ୍ଦେଶକ ପଲାଶ ମୁଛଲଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହି ବିଶେଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦମ୍ପତି ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଆଶୀର୍ବାଦ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ପକ୍ଷରୁ ପ୍ରକାଶିତ ଏକ ସରକାରୀ ଚିଠିରେ ଉଲ୍ଲେଖ କରାଯାଇଛି, “୨୦୨୫ ମସିହା ନଭେମ୍ବର ୨୩ ତାରିଖରେ ସୌଭାଗ୍ୟବତୀ ସ୍ମୃତି ଏବଂ ଚିରଞ୍ଜୀବୀ ପଲାଶଙ୍କର ବିବାହ ହେବା ବିଷୟରେ ଜାଣି ଆନନ୍ଦିତ ହେଲୁ। ଏହି ଶୁଭ ଓ ଆନନ୍ଦମୟ ଅବସରରେ ମାନ୍ଧାନା ଏବଂ ମୁଛଲ ପରିବାରକୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।”

ଏହି ଚିଠିରେ ଆହୁରି ମଧ୍ୟ କୁହାଯାଇଛି, “ଜୀବନର ପ୍ରତିଟି ମୋଡ଼ରେ ହାତରେ ହାତ ମିଶାଇ ଚାଲିଲା ବେଳେ ଏହି ଦମ୍ପତି ପରସ୍ପରର ଉପସ୍ଥିତିରେ ଶକ୍ତି ପାଆନ୍ତୁ ଏବଂ ସେମାନଙ୍କ ହୃଦୟ, ମନ ଏବଂ ଆତ୍ମା ସୁସଙ୍ଗତ ରହୁ। ସେମାନଙ୍କର ସ୍ୱପ୍ନ ଗୋଟିଏ ସୂତ୍ରରେ ବାନ୍ଧି ହୋଇ ବଢ଼ିଚାଲୁ, ଯାହା ସେମାନଙ୍କୁ ଆନନ୍ଦ ଓ ଗଭୀର ବୁଝାମଣାରେ ପରିପୂର୍ଣ୍ଣ ଭବିଷ୍ୟତ ଆଡ଼କୁ ନେଇଯାଉ।”

ପ୍ରଧାନମନ୍ତ୍ରୀ ମୋଦି ଶୁଭେଚ୍ଛା ଜଣାଇବା ସହ କହିଛନ୍ତି, “ଯେତେବେଳେ ସେମାନେ ଏକ ନୂଆ, ସୁନ୍ଦର ଜୀବନ ଆରମ୍ଭ କରୁଛନ୍ତି, ସେତେବେଳେ ସ୍ମୃତିଙ୍କ କଭର ଡ୍ରାଇଭ୍ ର ଗତି ସହିତ ପଲାଶଙ୍କ ସୁମଧୁର ସଙ୍ଗୀତ ସିମ୍ଫୋନିର ମିଳନ ଏକ ଅଦ୍ଭୁତ ଭାଗିଦାରୀ ସୃଷ୍ଟି କରୁଛି। ବର ଦଳ ଏବଂ କନ୍ୟା ଦଳ ମଧ୍ୟରେ ଏକ ‘ସେଲିବ୍ରେସନ କ୍ରିକେଟ୍ ମ୍ୟାଚ୍’ ଆୟୋଜନ କରାଯାଇଛି। ଜୀବନର ଏହି ଖେଳରେ ଉଭୟ ଦଳ ବିଜୟୀ ହୁଅନ୍ତୁ। ଏହି ଗୁରୁତ୍ୱପୂର୍ଣ୍ଣ ଅବସର ପାଇଁ ମୁଁ ଏହି ଦମ୍ପତିଙ୍କୁ ମୋର ଆଶୀର୍ବାଦ ପଠାଉଛି।”

ସୂଚନାଯୋଗ୍ୟ ଯେ, ସ୍ମୃତି ମନ୍ଧାନା ଭାରତର ଅନ୍ୟତମ ପ୍ରସିଦ୍ଧ ମହିଳା କ୍ରିକେଟର ଏବଂ ସେ ତାଙ୍କର ସୁନ୍ଦର ବ୍ୟାଟିଂ ଶୈଳୀ ଓ ଉଲ୍ଲେଖନୀୟ ସ୍ଥିରତା ପାଇଁ ଜଣାଶୁଣା। ତାଙ୍କ ଭାବୀ ପତି ପଲାଶ ମୁଛଲ ଜଣେ ଜଣାଶୁଣା ସଙ୍ଗୀତ ରଚୟିତା, ଯିଏ ଅନେକ ବଲିଉଡ୍ ପ୍ରୋଜେକ୍ଟରେ କାର୍ଯ୍ୟ କରିଛନ୍ତି। ସେ ମଧ୍ୟ ଲୋକପ୍ରିୟ ବଲିଉଡ୍ ଗାୟିକା ପଲକ ମୁଛଲଙ୍କ ଭାଇ।

Share