ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ଉପହାର ଦେଇଥିବା କାର୍ଯ୍ୟକର୍ତ୍ତାଙ୍କ ପାଦ ଛୁଇଁଲେ ପ୍ରଧାନମନ୍ତ୍ରୀ ମୋଦି

ଲକ୍ଷ୍ନୌ,୨୦।୨: ଉତ୍ତର ପ୍ରଦେଶରେ ଏବେ ବିଧାନସଭା ନିର୍ବାଚନ ଚାଲିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଦଳ ପକ୍ଷରୁ ନିର୍ବାଚନୀ ସଭା ଚାଲିଛି। ଏହି କ୍ରମରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ, ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପ୍ରଧାନମନ୍ତ୍ରୀ ସଭା ମଞ୍ଚରେ ପ୍ରଭୁ ରାମଙ୍କ ପ୍ରତିମା ଉପହାର ଦେଇଥିବା ଭାଜପା କର୍ମୀଙ୍କ ପାଦ ଛୁଇଁଥିଲେ, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରୁଛନ୍ତି।
ସୂଚନାଯୋଗ୍ୟ, ରବିବାର ନିର୍ବାଚନ ସଭାକୁ ସମ୍ବୋଧିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ନାଓରେ ପହଞ୍ଚିଥିଲେ। ଉନ୍ନାଓ ଜିଲା ସଭାପତି ଆୱାଦେଶ କଟିୟାର ତାଙ୍କୁ ପ୍ରତୀକ ଭାବରେ ଭଗବାନ ଶ୍ରୀ ରାମଙ୍କ ପ୍ରତିମା ଉପହାର ଦେଇଥିଲେ। ଆୱାଦେଶ ଉପହାର ଦେଇ ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁଥିଲେ, ଏହା ପରେ ପ୍ରଧାନମନ୍ତ୍ରୀ ତାଙ୍କୁ ଅଟକାଇ ନିଜେ ଆୱାଦେଶଙ୍କ ପାଦକୁ ସ୍ପର୍ଶ କରିଥିଲେ। ଭାଜପା ନେତା ଅରୁଣ ଯାଦବ ଟୁଇଟରରେ ଏହାର ଭିଡିଓ ଶେୟାର କରିଛନ୍ତି।
ରବିବାର ଉତ୍ତରପ୍ରଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ୭ଟି ପର୍ଯ୍ୟାୟରେ ମତଦାନ ପ୍ରକ୍ରିୟା ଶେଷ ହେବ ଏବଂ ମାର୍ଚ୍ଚ ୧୦ରେ ନିର୍ବାଚନର ଫଳାଫଳ ଘୋଷଣା କରାଯିବ।