ଏହି ଶବ୍ଦ ଜରିଆରେ ଚାଇନାକୁ ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ଆମ ସମ୍ପର୍କ…

ନୂଆଦିଲ୍ଲୀ/ବେଜିଂ,୩୧ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭ ବର୍ଷ ପରେ ପ୍ରଥମ ଥର ପାଇଁ ଚାଇନା ଗସ୍ତରେ ଯାଇଥିବା ବେଳେ ରବିବାର ସକାଳେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଏଠାରେ ସେ ଏସ୍‌ସିଓ ବୈଠକରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ତିଆନଜିନରେ ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଚାଇନା ଏବଂ ଭାରତ ମଧ୍ୟରେ ସମ୍ପର୍କ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ଗତ ବର୍ଷ କାଜାନରେ ଆମର ଏକ ଅତ୍ୟନ୍ତ ଅର୍ଥପୂର୍ଣ୍ଣ ଆଲୋଚନା ହୋଇଥିଲା, ଯାହା ଆମ ସମ୍ପର୍କକୁ ଏକ ସକାରାତ୍ମକ ଦିଗଦର୍ଶନ ଦେଇଥିଲା। ସୀମାରେ ଉତ୍ତେଜନା ହ୍ରାସ ପରେ, ଶାନ୍ତି ଏବଂ ସ୍ଥିରତାର ପରିବେଶ ସୃଷ୍ଟି ହୋଇଛି।

ସେ ଆହୁରି ମଧ୍ୟ କହିଛନ୍ତି, ସୀମା ପରିଚାଳନା ସମ୍ପର୍କରେ ଆମର ବିଶେଷ ପ୍ରତିନିଧିଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଛି। କୈଳାସ ମାନସରୋବର ଯାତ୍ରା ପୁଣି ଥରେ ଆରମ୍ଭ। ଉଭୟ ଦେଶ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ମଧ୍ୟ ପୁନଃ ଆରମ୍ଭ। ଉଭୟ ଦେଶର ୨.୮ ବିଲିୟନ ଲୋକଙ୍କ ସ୍ବାର୍ଥ ଆମ ସହଯୋଗ ସହିତ ଜଡ଼ିତ। ଏହା ସମଗ୍ର ମାନବ ସମାଜର କଲ୍ୟାଣ ପାଇଁ ମଧ୍ୟ ପଥ ପ୍ରଶସ୍ତ କରିବ। ପାରସ୍ପରିକ ବିଶ୍ୱାସ, ସମ୍ମାନ ଏବଂ ସମ୍ବେଦନଶୀଳତା ଆଧାରରେ ଆମର ସମ୍ପର୍କକୁ ଆଗକୁ ନେବା ପାଇଁ ଆମେ ପ୍ରତିବଦ୍ଧ।

ପ୍ରଧାନମନ୍ତ୍ରୀ ୭ବର୍ଷ ପରେ ଚାଇନା ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନାରୁ ଅନୁମାନ କରାଯାଇପାରେ ଯେ, ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କ ପୁଣି ଥରେ ଟ୍ରାକକୁ ଆସୁଛି। ୨୦୨୦ ଜୁନ୍‌ରେ ଗାଲୱାନ ଉପତ୍ୟକାରେ ସଂଘର୍ଷ ପରେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ଉତ୍ତେଜନା ଦେଖାଦେଇଥିଲା। ତଥାପି ସାମ୍ପ୍ରତିକ ସମୟରେ ପୁଣି ଥରେ ଚାଇନା ଏବଂ ଭାରତ ମଧ୍ୟରେ ସମ୍ପର୍କରେ ଉନ୍ନତି ଆଣିବା ପାଇଁ ପ୍ରୟାସ କରାଯାଉଛି।

ପ୍ରଧାନମନ୍ତ୍ରୀଙ୍କ ଚାଇନା ଗସ୍ତ ପୂର୍ବରୁ ଚାଇନା ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ ୟି ଏହି ମାସ ଆରମ୍ଭରେ ଭାରତ ଗସ୍ତ କରିଥିଲେ। ସେ ଦିଲ୍ଲୀରେ ପହଞ୍ଚିଥିଲେ। ଯେଉଁଠାରେ ସେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଆଲୋଚନା କରିଥିଲେ।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ (୫୦%), ଚାଇନା (୩୦%), କାଜାଖସ୍ତାନ (୨୫%) ଏବଂ ଅନ୍ୟାନ୍ୟ SCO ଦେଶଗୁଡ଼ିକ ଉପରେ ଅଧିକ ଶୁଳ୍କ ଲାଗୁ କରିଛନ୍ତି। ଏପରି ପରିସ୍ଥିତିରେ ଏହି SCO ବୈଠକରେ ଶୁଳ୍କ ଉପରେ ମଧ୍ୟ ଆଲୋଚନା ହୋଇପାରେ ବୋଲି ବିଶ୍ୱାସ କରାଯାଉଛି।

Share