ନୂଆଦିଲ୍ଲୀ,୧୩ା୯: ଦୁଇବର୍ଷ ପୂର୍ବେ ମଣିପୁରରେ ଘଟିଥିବା ହିଂସା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୁରାଚାନ୍ଦପୁରରେ ବିସ୍ଥାପିତ ଲୋକଙ୍କୁ ଭେଟିଥିଲେ। ଚୁରାଚାନ୍ଦପୁର ହେଉଛି ସେହି ଅଞ୍ଚଳ ଯେଉଁଠାରେ ୨୦୨୩ରେ ହୋଇଥିବା ହିଂସାର ସବୁଠାରୁ ଖରାପ ପ୍ରଭାବ ପଡ଼ିଥିଲା ଏବଂ ୨୬୦ ଜଣଙ୍କର ମୃତ୍ୟୁ ହୋଇଥିଲା। ପ୍ରବଳ ବର୍ଷା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ଇମ୍ଫାଲ ବିମାନବନ୍ଦରରୁ ୬୫ କିଲୋମିଟର ଯାତ୍ରା କରି ଶାନ୍ତି ଭୂମିରେ ରିଲିଫ୍ ଶିବିରରେ ଉପସ୍ଥିତ ବୃଦ୍ଧ ଏବଂ ପିଲାମାନଙ୍କ ସହିତ ଆଲୋଚନା କରିଥିଲେ। ରାଜ୍ୟପାଳ ଅଜୟ କୁମାର ଭଲ୍ଲା ମଧ୍ୟ ତାଙ୍କ ସହିତ ଉପସ୍ଥିତ ଥିଲେ।
ଚୁରାଚାନ୍ଦପୁର ମୁଖ୍ୟତଃ କୁକି-ଜୋ ସମ୍ପ୍ରଦାୟ ବାସ କରନ୍ତି। ମୈତେଇ ଲୋକଙ୍କ ଅନୁସୂଚିତ ଜନଜାତି (ST) ମାନ୍ୟତା ଦାବି ବିରୋଧରେ ଏକ ଆଦିବାସୀ ଗୋଷ୍ଠୀ ଏକ ରାଲି ବାହାର କରିବା ସମୟରେ ହିଂସା ଆରମ୍ଭ ହୋଇଥିଲା। ଇମ୍ଫାଲ ଉପତ୍ୟକାରେ ମୈତେଇ ଲୋକମାନେ ସଂଖ୍ୟାଗରିଷ୍ଠ ଥିବା ବେଳେ କୁକି-ଜୋ ଗୋଷ୍ଠୀ ପାହାଡ଼ି ଜିଲା ପାଇଁ ଏକ ସ୍ବତନ୍ତ୍ର କେନ୍ଦ୍ର ଶାସିତ ଅଞ୍ଚଳ ଦାବି କରିଛି।
ପ୍ରଧାନମନ୍ତ୍ରୀ ଚୁରାଚାନ୍ଦପୁରରେ ୧୪ଟି ପ୍ରମୁଖ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ, ଯାହାର ମୋଟ୍ ମୂଲ୍ୟ ୭୩୦୦ କୋଟି ଟଙ୍କା। ଏହି ପ୍ରକଳ୍ପଗୁଡ଼ିକରେ ଡ୍ରେନେଜ୍ ସିଷ୍ଟମ, ମହିଳା ଛାତ୍ରାବାସ, ସ୍କୁଲ ଏବଂ ସୁପର-ସ୍ପେଶାଲିଟି ସ୍ବାସ୍ଥ୍ୟ ସୁବିଧା ଅନ୍ତର୍ଭୁକ୍ତ।
୩ ମେ’ ୨୦୨୩ରେ ମଣିପୁରରେ ମୈତେଇ ଏବଂ କୁକି-ଜୋ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ହିଂସାରେ ଶହ ଶହ ଲୋକ ଆହତ ହୋଇଥିଲେ ଏବଂ ୬୦୦୦୦ରୁ ଅଧିକ ଲୋକଙ୍କୁ ଘର ଛାଡ଼ି ରିଲିଫ ଶିବିରରେ ରହିବାକୁ ବାଧ୍ୟ କରାଯାଇଥିଲା। ପରିସ୍ଥିତି ଏତେ ଗମ୍ଭୀର ହୋଇଗଲା ଯେ, ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା ଏବଂ ଫେବୃଆରୀ ୧୩ରୁ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ୨ ବର୍ଷ ପରେ ପ୍ରଧାନମନ୍ତ୍ରୀ ମଣିପୁର ଗସ୍ତ କରିଛନ୍ତି।
ମଣିପୁର ମୁଖ୍ୟ ସଚିବ ପୁନିତ ଗୋୟଲ କହିଛନ୍ତି, ମଣିପୁର କେବଳ ଏକ ସୀମାନ୍ତ ରାଜ୍ୟ ନୁହେଁ ବରଂ ଭାରତର ପୂର୍ବ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ଏହା ଦକ୍ଷିଣ-ପୂର୍ବ ଏସିଆର ପ୍ରବେଶ ପଥ ଏବଂ ଭାରତର ବିବିଧତାର ଗର୍ବିତ ପ୍ରହରୀ।
ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ କଡ଼ା ସମାଲୋଚନା କରାଯାଇଛି। କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀ କହିଛନ୍ତି, ମଣିପୁର ଦୀର୍ଘ ସମୟ ଧରି ଜଳୁଛି ଏବଂ ପ୍ରଧାନମନ୍ତ୍ରୀଙ୍କ ଏବେ ଗସ୍ତ କୌଣସି ବଡ଼ କଥା ନୁହେଁ। କଂଗ୍ରେସ ମହାସଚିବ ଜୟରାମ ରମେଶ ଏହାକୁ ରାଜ୍ୟବାସୀଙ୍କ ପ୍ରତି ଅପମାନ ବୋଲି କହିଛନ୍ତି। ଏହି ଗସ୍ତ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ପାଇଁ ନୁହେଁ ବରଂ ଏକ ତମାଶା ବୋଲି ଜୟରାମ କହିଛନ୍ତି।