ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି। ଆବଶ୍ୟକ ଶିକ୍ଷକ, ଶ୍ରେଣୀ କୋଠରି, ରୋଷେଇ ଗୃହ ଓ ପାଚେରି ନ ଥିବାରୁ ଛାତ୍ରୀଛାତ୍ରଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହି ବିଦ୍ୟାଳୟରେ ୫୭ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ୨ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ପ୍ରଥମରୁ ପଞ୍ଚମ ଶ୍ରେଣୀ ଓ ଶିଶୁ ବାଟିକା ସହ ୬ଟି ଶ୍ରେଣୀ ରହିଛି। ପ୍ରଥମରୁ ତୃତୀୟ ଓ ଶିଶୁବାଟିକା ଛାତ୍ରୀଛାତ୍ର ଗୋଟିଏ କୋଠରିରେ ବସୁଥିବା ବେଳେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ପିଲା ବାରଣ୍ଡାରେ ବସି ପାଠପଢୁଛନ୍ତି। ୬ଟି ଶ୍ରେଣୀ ପାଇଁ ୨ ଜଣ ଶିକ୍ଷକ ଥିବାରୁ କିଭଳି ଶିକ୍ଷାଦାନ ହେଉଥିବ ତାହା ସହଜରେ ଅନୁମେୟ। ସୁନାବେଡ଼ା ଅଭୟାରଣ୍ୟ ଭିତରେ ହଲୁଆପାଲି ବିଦ୍ୟାଳୟ ରହିଛି। ଏଠାରେ ବନ୍ୟଜନ୍ତୁଙ୍କ ଭୟ ରହିଛି। ସ୍କୁଲ ପରିସରରେ ପାଚେରି ନ ଥିବାରୁ ଛାତ୍ରୀଛାତ୍ର ନିଜକୁ ସୁରକ୍ଷିତ ମଣୁନାହାନ୍ତି। ରୋଷେଇ ଗୃହ ଭାଙ୍ଗି ବିପଦପୂର୍ଣ୍ଣ ଅବସ୍ଥାରେ ଥିବାରୁ ବାହାରେ ରୋଷେଇ କାର୍ଯ୍ୟ ଚାଲିଛି। ଏହିସବୁ ସମସ୍ୟା ନେଇ ଗ୍ରାମବାସୀ ଅନେକ ଥର ପ୍ରଶାସନକୁ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏ ସଂକ୍ରାନ୍ତରେ ପ୍ରଧାନ ଶିକ୍ଷକ ବଳରାମ ନାଏକଙ୍କୁ ପଚାରିବାରୁ ଅଭୟାରଣ୍ୟ ସଂଲଗ୍ନ ବିଦ୍ୟାଳୟରେ କୌଣସି ସୁବିଧା ନାହିଁ। ବିଦ୍ୟାଳୟ କୋଠରି, ରୋଷେଇ ଗୃହ, ଶିକ୍ଷକ ଅଭାବ ରହିଛି। ଗାଁଠାରୁ ବାହାରେ ବିଦ୍ୟାଳୟ ରହିଥିବାରୁ ପିଲା ଅସୁରକ୍ଷିତ ଅବସ୍ଥାରେ ସ୍କୁଲ ଆସୁଥିବା ମନେକରୁ ା ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପାଇଁ ଆବଶ୍ୟକ ଶ୍ରେଣୀ କୋଠରି, ଶିକ୍ଷକ, ରୋଷେଇ ଗୃହ ସହ ବିଦ୍ୟାଳୟ ଚତୁଃପାର୍ଶ୍ୱରେ ପାଚେରି ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ା ଏ ସଂକ୍ରାନ୍ତରେ କୋମନା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅନିତା ପଣ୍ଡାଙ୍କୁ ପଚାରିବାରୁ ହଲୁଆପାଲି ପ୍ରାଥମିକ ବିଦ୍ୟାଲୟରେ ଅତିରିକ୍ତ ଶ୍ରେଣୀ କୋଠରି ଗୋଟିଏ ରହିଛି। ଏଥିରେ ୫ ଶ୍ରେଣୀର ପିଲାଙ୍କୁ ପାଠପଢା ହେଉଛି। ସେଥିରେ ପାଚେରି, ରୋଷେଇ ଗୃହ, ପାଇଖାନା ଓ ଆବଶ୍ୟକ ଶିକ୍ଷକ ନ ଥିବା ଆମ ପାଖକୁ ଅଭିଯୋଗ ଆସିଛି ା ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଭାବରେ ଜଣାଇଦେଇଛୁ ବୋଲି କହିଥିଲେ।

Dharitri – Odisha’s No.1 Odia Daily