ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ।
ପ୍ରକାଶ ଯେ, ଏବେ ପ୍ରାଣୀସମ୍ପଦକୁ ଫାଟୁଆ ରୋଗର ଭୟ ରହିଛି। ଏଥିପାଇଁ ବିଭାଗ ପକ୍ଷରୁ ବ୍ୟାପକ ଜନସଚେତନ କରାଯିବା ସହ ଲୋକଙ୍କୁ ଫାଟୁଆ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଅବଗତ କରାଯାଉଛି। ପ୍ରାଣୀମିତ୍ର, ପ୍ରାଣୀଧନ ନିରୀକ୍ଷକ ଏବଂ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା କ୍ଲିନିକ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରିବା ସହ ଗାଈ, ବଳଦମାନଙ୍କୁ ଫାଟୁଆ ରୋଗ ନ ହେବା ପାଇଁ ପ୍ରତିଷେଧକ ଟିକାକରଣ କରୁଛନ୍ତି। ବ୍ଲକ ଅଞ୍ଚଳରେ ପ୍ରାୟ ୩୭ ହଜାର ଗାଈ, ବଳଦଙ୍କୁ ଏହି ଟିକାକରଣ ହେବାକୁ ରହିଥିବା ବେଳେ ଆସନ୍ତା ୩୧ ସୁଦ୍ଧା ଟିକାକରଣ କାର୍ଯ୍ୟ ଶେଷ ହୋଇଯିବ। ନଭେମ୍ବର ୧୫ରୁ ଏହା ଆରମ୍ଭ କରାଯାଇଛି ଓ ପୁଣି ୬ ମାସ ପରେ ଦିତୀୟ ଥର ପାଇଁ ଏହି ଟିକା ଦିଆଯିବ ବୋଲି ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା କ୍ଲିନିକର ଇନ୍ଚାର୍ଜ ଚିକିତ୍ସିକ ଜଗନ୍ନାଥ ଘଡ଼େଇ ସୂଚନା ଦେଇଛନ୍ତି।