ସ୍ବାମୀଙ୍କ ମୁହଁ ଫଟୋଶପ୍‌ କରି ଟ୍ରୋଲ୍‌ ହେଲେ ପ୍ରେସ୍‌ ସଚିବ

ଓ୍ବାଶିଂଟନ୍‌,୫ା୧୧:ଆମେରିକା ହ୍ବାଇଟ୍‌ ହାଉସ୍‌ ପ୍ରେସ୍‌ ସଚିବ କାରୋଲିନ୍‌ ଲେଭିଟ୍‌ ତାଙ୍କ ୬୦ ବର୍ଷୀୟ ସ୍ବାମୀଙ୍କ ମୁହଁକୁ ଫଟୋଶପିଙ୍ଗ୍‌ କରି ଅନ୍‌ଲାଇନରେ ଟ୍ରୋଲ୍‌ ହୋଇଛନ୍ତି। କାରୋଲିନ୍‌ ପୋଷ୍ଟ କରିଥିବା ହୋଲୋଓ୍ବିନ୍‌ ଫଟୋଗୁଡ଼ିକରେ ତାଙ୍କ ସ୍ବାମୀ ନିକୋଲାସ୍‌ ରିସିଓଙ୍କ ମୁହଁ ଚିକ୍କଣ ଓ ଯୁବସୁଲଭ ଦେଖାଯାଉଛି। ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର ହୋଇଥିବା ଉକ୍ତ ଫଟୋଗୁଡ଼ିକ ହ୍ବାଇଟ୍‌ ହାଉସ୍‌ ଏବଂ ନାଭାଲ ଅବ୍‌ଜରଭେଟୋରୀରେ ହୋଲୋଓ୍ବିନ୍‌ ପାଳନ ବେଳେ ନିଆଯାଇଥିଲା। ସେଠାରେ କାରୋଲିନ୍‌ ଏବଂ ନିକୋଲାସ୍‌ ସେମାନଙ୍କ ୧୬ ମାସର ପୁଅ ନିକୋଙ୍କ ସହ ପୋଜ୍‌ ଦେଇଥିଲେ। ୟୁଜରମାନଙ୍କ ଛଞ୍ଚାଣ ଆଖିରେ ନିକୋଲାସ୍‌ଙ୍କ ଚେହେରାରେ ହୋଇଥିବା ଅସଙ୍ଗତି ତୁରନ୍ତ ଧରାପଡ଼ିଯାଇଥିଲା। ତାଙ୍କ ମୁହଁକୁ ଯୁବସୁଲଭ ଲୁକ୍‌ ଦେବା ପାଇଁ ଅତ୍ୟଧିକ ରଙ୍ଗ ବୋଳାଯାଇଥିବାବେଳେ ହାତକୁ ଦେଖିଲେ ବୟସର ଛାପ ସ୍ପଷ୍ଟ ବାରିହୋଇ ପଡ଼ୁଛି। ଏଭଳି ଫଟୋ ଏଡିଟିଂ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି କରିଛି। ଏହି ଦମ୍ପତିଙ୍କ ବୟସ ବ୍ୟବଧାନ ୩୨ ବର୍ଷ ହୋଇଥିବାବେଳେ ଫଟୋଶପ୍‌ କରାଯାଇଥିବା ଫଟୋକୁ ନେଇ ଅନେକ ହଜାର ୟୁଜର ବିଭିନ୍ନ ମତାମତ ଦେଇଛନ୍ତି। କାରୋଲିନ୍‌ ତାଙ୍କ ସ୍ବାମୀଙ୍କୁ କେତେ ଦଶନ୍ଧି ସାନ ଦେଖାଇବାକୁ ଉଦ୍ୟମ କରିଥିବା କେତେକ ସୋସିଆଲ ମିଡିଆରେ ଲେଖିଛନ୍ତି। ନିକୋଲାସ୍‌ଙ୍କ ଡିଜିଟାଲି ପରିବର୍ତ୍ତିତ ଫଟୋକୁ ନେଇ ବିବାଦ ଦେଖାଦେଇଛି। କାରୋଲିନ୍‌ ତାଙ୍କଠାରୁ ୩ ଦଶନ୍ଧି ବଡ଼ ନ୍ୟୁ ହାମ୍ପଶାୟାର ରିଅଲ୍‌ ଇଷ୍ଟେଟ ଡେଭେଲପର ନିକୋଲାସ୍‌ଙ୍କୁ ବିବାହ କରିବାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଦୀର୍ଘଦିନ ହେଲା କୌତୂହଳ ଦେଖାଦେଇଥିଲା।

 

Dharitri – Odisha’s No.1 Odia Daily

 

Share