କେସିଙ୍ଗା,୨୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅଗ୍ରଣୀ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ବିଏସ୍ଏ କାର୍ଯ୍ୟାଳୟ ପରିସରରେ ବୁଧବାର ସାରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚଳିତ ମାସ ୨୭ ଓ ୨୮ ତାରିଖ ଦୁଇଦିନ ଧରି ବୁଢ଼ା ଡଙ୍ଗର ଲୋକ ମହୋତ୍ସବ ପାଳନ କରାଯିବ ବୋଲି ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ମହାପାତ୍ର ପ୍ରକାଶ କରିଛନ୍ତି। ଦୁଇଦିନ ଧରି ହେବାକୁ ଥିବା କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ରାଜନୈତିକ ବ୍ୟକ୍ତି ଓ ବଲିଉଡ ଏବଂ ଓଲିଉଡ଼ କଳାକାରଙ୍କ ଯୋଗଦାନ ସହିତ ଅନ୍ୟାନ୍ୟ ଲୋକକଳା ସାଂସ୍କୃତିକ କାର୍ଯ୍ୟମାନ ପରିବେଷଣ କରାଯିବାର ବ୍ୟବସ୍ଥା ରହିଛି। ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡିଶୀ ନୃତ୍ୟ, ଲୋକ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ବଜାଶାଲ, ଢାପ ନୃତ୍ୟ, ଛଉ ନୃତ୍ୟ, ଆଦି ନୃତ୍ୟ ସହିତ ମୁମ୍ବାଇର ଜାତୀୟ ହାସ୍ୟ ଅଭିନେତା ଜୁନିଅର ରାଜୁ ଶ୍ରୀବାସୁବ, ବଲିଉଡ କଣ୍ଠଶିଳ୍ପୀ ଶ୍ରୀ ଆଶ୍ରୀ ( ମୁମ୍ବାଇ ), ଓଲିଉଡ଼ ସିନେ କଳାକାର ପୁପିନ୍ଦର ସିଂ, କଣ୍ଠଶିଳ୍ପୀ ମନଶ୍ବିନୀ, ରୋଜାଲିନ ଏବଂ ଜେମ୍ସ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମ ଉପଲକ୍ଷେ ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ, ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି, ସ୍ବାସ୍ଥ୍ୟ, ଓ କଳାକ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ୧୫ ଜଣଙ୍କୁ ସମ୍ମାନିତ କରିବା ନେଇ ଖବରଦାତା ସମ୍ମିଳନୀରେ ଅନୁଷ୍ଠାନ ପକ୍ଷରୁ ଘୋଷଣା କରାଯାଇଛି। ସେହିପରି ସ୍କୁଲ, କଲେଜ ସ୍ତରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ୪୦ ପ୍ରତିଯୋଗୀଙ୍କୁ ମଧ୍ୟ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଅନୁଷ୍ଠାନର ସମ୍ପାଦକ ଅକ୍ଷୟ କୁମାର ଦାସ ଅନୁଷ୍ଠାନର ବିବରଣ ପ୍ରଦାନ କରିଥିଲେ। ପରିଶେଷରେ ଜ୍ଞାନେନ୍ଦ୍ର ଭୋଇ ଧନ୍ୟବାଦ ଜଣାଇଥିଲେ।