ରାଫେଲ ବିମାନରେ ଉଡ଼ାଣ ଭରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଅମ୍ବାଲା ବାୟୁସେନା ଘାଟିରୁ…

ନୂଆଦିଲ୍ଲୀ,୨୮।୧୦: ହରିୟାଣାର ଅମ୍ବାଲା ବାୟୁସେନା ଘାଟିରୁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ରାଫେଲ ଯୁଦ୍ଧ ବିମାନରେ ଉଡ଼ାଣ ଭରିବେ। ମଙ୍ଗଳବାର ଦିନ ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି, “ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଦିନ ହରିୟାଣାର ଅମ୍ବାଲା ଯାତ୍ରା କରିବେ, ଯେଉଁଠାରେ ସେ ଏକ ରାଫେଲ ଉଡ଼ାଣ ଭରିବେ।”
ଭାରତୀୟ ବାୟୁସେନାର ଆଧୁନିକ କ୍ଷମତା ଅନୁଭବ କରିବା ଏବଂ ସଶସ୍ତ୍ର ବାହିନୀର ମନୋବଳ ବୃଦ୍ଧି କରିବା ପାଇଁ ଏହି ଉଡ଼ାଣ କରାଯାଉଛି। ପୂର୍ବରୁ ରାଷ୍ଟ୍ରପତି ମୁର୍ମୁ ଏପ୍ରିଲ ୮, ୨୦୨୩ରେ ଆସାମର ତେଜପୁର ବାୟୁସେନା ଘାଟିରେ ଏକ ସୁଖୋଇ-୩୦ MKI ଯୁଦ୍ଧ ବିମାନ ଉଡ଼ାଣ କରିଥିଲେ।
ରାଫେଲ ହେଉଛି ଭାରତର ସବୁଠାରୁ ଉନ୍ନତ ଯୁଦ୍ଧ ବିମାନ ମଧ୍ୟରୁ ଗୋଟିଏ, ଯାହା ଫ୍ରାନ୍ସରୁ ଅଧିଗ୍ରହଣ କରାଯାଇଥିଲା। ଏହା ଅତ୍ୟାଧୁନିକ ଏଭିଓନିକ୍ସ, ରାଡାର ସିଷ୍ଟମ ଏବଂ ଦୂରଗାମୀ ଆକ୍ରମଣ କ୍ଷମତା ସହିତ ସଜ୍ଜିତ। ଅମ୍ବାଲା ବାୟୁସେନା ଘାଟିରେ ରାଫେଲ ସ୍କୱାଡ୍ରନର ନିୟୋଜନ ଭାରତର ବାୟୁ ଶକ୍ତିରେ ଏକ ପ୍ରମୁଖ ପରିବର୍ତ୍ତନ ଆଣିଛି ଏବଂ ରାଷ୍ଟ୍ରପତିଙ୍କ ଉଡ଼ାଣକୁ ଏବେ ସ୍କ୍ବାଡ୍ରନ ପାଇଁ ଏକ ଗର୍ବର ମୁହୂର୍ତ୍ତ ଭାବରେ ବିବେଚନା କରାଯାଉଛି।