ଡେରାଡୁନ,୨୦।୬: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ୬୭ତମ ଜନ୍ମଦିନରେ ଉତ୍ତରାଖଣ୍ଡର ତିନି ଦିନିଆ ଗସ୍ତରେ ଅଛନ୍ତି। ତେବେ ତାଙ୍କର ଏକ ଭାବପ୍ରବଣ ହୋଇ କାନ୍ଦୁଥିବା ଭିଡିଓ ଭାଇରାଲ ହୋଇଛି। ଡେରାଡୁନସ୍ଥିତ ନ୍ୟାସନାଲ ଇନଷ୍ଟିଟ୍ୟୁଟ ଫର ଦି ଏମ୍ପାୱାରମେଣ୍ଟ ଅଫ ପର୍ସନ୍ସ ଉଇଥ ଭିଜୁଆଲ ଡିଜାବିଲିଟିଜ (NIEPVD)ର ଛାତ୍ରୀଛାତ୍ରମାନେ ତାଙ୍କ ଜନ୍ମଦିନ ଉପଲକ୍ଷେ ଏକ ସୁନ୍ଦର ଗୀତ ଗାଇ ଶୁଭେଚ୍ଛା ଜଣାଇଥିଲେ। ଏହି ଗୀତ ଶୁଣି ରାଷ୍ଟ୍ରପତି ଏତେ ଆବେଗପ୍ରବଣ ହୋଇଥିଲେ ଯେ ସେ ଷ୍ଟେଜରେ ହିଁ କାନ୍ଦିବାକୁ ଲାଗିଲେ।
ରାଷ୍ଟ୍ରପତି ମୁର୍ମୁ ଛାତ୍ରୀଛାତ୍ରଙ୍କୁ ସମ୍ବୋଧିତ କରି କହିଥିଲେ, ମୁଁ ମୋର ଲୁହ ଅଟକାଇ ପାରିଲି ନାହିଁ। ସେମାନେ ମୋ ଜନ୍ମଦିନରେ ବିଶେଷ ବାର୍ତ୍ତା ଦେଇଥିଲେ। ଏହା ଲାଗୁଛି ଯେମିତି ସେମାନେ ସ୍ବରରେ ନୁହେଁ, ହୃଦୟରୁ ଗାଉଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ ଏହି ଛାତ୍ରଙ୍କର ପ୍ରତିଭା ତାଙ୍କର ଏହି ବିଶ୍ୱାସକୁ ଦୃଢ କରୁଛି ଯେ ବିକଳାଙ୍ଗ ଶିଶୁମାନେ କିଛି ବିଶେଷ କ୍ଷମତା ନେଇ ଜନ୍ମ ହୋଇଥାନ୍ତି। ସେ ସେମାନଙ୍କୁ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିବାକୁ ଉତ୍ସାହିତ କରିଥିଲେ ଏବଂ କହିଥିଲେ ଯେ ସେମାନଙ୍କର ସଫଳତା ନିଶ୍ଚିତ।
ଏହି ଅବସରରେ ଉତ୍ତରାଖଣ୍ଡ ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ଗୁରମିତ ସିଂହ ଏବଂ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ରାଷ୍ଟ୍ରପତିଙ୍କୁ ସମ୍ମାନିତ କରିଥିଲେ। ରାଷ୍ଟ୍ରପତି ମୁର୍ମୁ ରାଜପୁର ରୋଡ଼ରେ ନୂତନ ନିର୍ମିିତ ରାଷ୍ଟ୍ରପତି ନିକେତନର ଉଦଘାଟନ ମଧ୍ୟ କରିଥିଲେ। ଏହା ସହ ସେ ନୈନିତାଲର ରାଜଭବନରେ ଏକ ଡାକଟିକଟ ଉନ୍ମୋଚନ କରିବେ, ଯାହା ଏହି ଐତିହାସିକ ଭବନର ୧୨୫ ବର୍ଷ ପୂର୍ତ୍ତି ଉପଲକ୍ଷରେ ପ୍ରକାଶିତ ହେଉଛି।