VB-G RAM G ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, MGNREGA ବଦଳରେ ଏଣିକି ଲାଗୁ ହେବ…

ନୂଆଦିଲ୍ଲୀ,୨୧।୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିକାଶିତ ଭାରତ-ନିଯୁକ୍ତି ଏବଂ ଆଜୀବିକା ମିଶନ (ଗ୍ରାମୀଣ) ଗ୍ୟାରେଣ୍ଟି ବିଲ୍ VB-G RAM G ୨୦୨୫ କୁ ଅନୁମୋଦନ କରିଛନ୍ତି। ରାଷ୍ଟ୍ରପତିଙ୍କ ସମ୍ମତି କ୍ରମେ ବିଲ୍ ଆଇନରେ ପରିଣତ ହୋଇଛି । ପୂର୍ବରୁ ଏହା ସଂସଦର ଉଭୟ ଗୃହ ଦ୍ୱାରା ଗୃହୀତ ହୋଇଥିଲା। ନୂତନ ଆଇନ ବର୍ତ୍ତମାନ ଗ୍ରାମୀଣ ପରିବାରଗୁଡ଼ିକୁ ପ୍ରତି ଆର୍ଥିକ ବର୍ଷରେ ୧୨୫ ଦିନର ବୈଧାନିକ ମଜୁରୀ ନିଯୁକ୍ତିର ଗ୍ୟାରେଣ୍ଟି ଦେବ, ଯାହା ପୂର୍ବ ୧୦୦ ଦିନ ଥିଲା।

ସରକାର ଆସନ୍ତା ବର୍ଷ ୧ ଏପ୍ରିଲ (୨୦୨୬) ଠାରୁ ଏହି ବିଲ୍ କାର୍ଯ୍ୟକାରୀ କରିବାକୁ ଯୋଜନା କରିଥିବା ଜଣାପଡିଛି । ଏହି ପ୍ରସ୍ତାବିତ ଆଇନ ୨୦ ବର୍ଷ ପୁରୁଣା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (MGNREGA)କୁ ବଦଳାଇବ। ଏହି ବିଲ୍ ଅନୁଯାୟୀ, ନିଯୁକ୍ତିର ବୈଧାନିକ ଗ୍ୟାରେଣ୍ଟି ବର୍ତ୍ତମାନ ୧୦୦ ଦିନରୁ ୧୨୫ ଦିନକୁ ବୃଦ୍ଧି କରାଯାଇଛି ।

କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଅନୁଯାୟୀ, ଏହି ବିଲ୍ ମନରେଗାକୁ ବଦଳାଇଥାଏ ଏବଂ ଏକ ବିକଶିତ ଭାରତ ୨୦୪୭ର ଦୃଷ୍ଟିକୋଣ ସହିତ ଡିଜାଇନ୍ କରାଯାଇଛି । ସରକାରଙ୍କ ଲକ୍ଷ୍ୟ ହେଉଛି ଗ୍ରାମାଞ୍ଚଳରେ ଆୟ ସୁରକ୍ଷାକୁ ସୁଦୃଢ଼ ​​କରିବା  ।

ଆଇନର ବ୍ୟବସ୍ଥା ଅନୁଯାୟୀ, ଇଚ୍ଛୁକ ଗ୍ରାମୀଣ ପରିବାରଗୁଡ଼ିକୁ ସର୍ବନିମ୍ନ ୧୨୫ ଦିନର ନିଯୁକ୍ତି ପ୍ରଦାନ କରିବା ପାଇଁ ସରକାର ସାମ୍ବିଧାନିକ ଭାବରେ ଦାୟୀ ରହିବେ। ମଜୁରୀ ପ୍ରଦାନ ସପ୍ତାହିକ କିମ୍ବା ସର୍ବାଧିକ ୧୫ ଦିନ ମଧ୍ୟରେ ବାଧ୍ୟତାମୂଳକ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦେୟ ପ୍ରଦାନ ନ ହେଲେ ମଜୁରୀ ପ୍ରଦାନରେ ବିଳମ୍ବ ପାଇଁ କ୍ଷତିପୂରଣ ପ୍ରଦାନ କରିବାର ବ୍ୟବସ୍ଥା ମଧ୍ୟ ଅଛି।

Share