ଦାରିଙ୍ଗବାଡି, ୫।୧୨ (ଅରୁଣ ସାହୁ ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ରେ ଆସନ୍ତା ଜାନୁୟାରୀ ୮ ଠାରୁ ୧୧ ପର୍ଯ୍ୟନ୍ତ ୪ ଦିନ ଧରି ଶୀତ ମହୋତ୍ସବ ଅନୁଷ୍ଠିତ ହେବ। ଏନେଇ ଶୀତ ମହୋତ୍ସବ ପାଳନ କମିଟିର ସମ୍ପାଦକ ତଥା ବିଡ଼ିଓ ପ୍ରୀତିରଞ୍ଜନ ରଥ ଶୁକ୍ରବାର ଦାରିଙ୍ଗବାଡି ସ୍ଥିତ ମା’ପଟ୍ଟାଖଣ୍ଡାଙ୍କ ପୀଠରେ ପୂଜାର୍ଚ୍ଚନା କରିବା ସହ ଏହି ମହୋତ୍ସବ ପାଳନ ନେଇ ଦିନ ଘୋଷଣା କରିଛନ୍ତି। ଏଥି ସହ ମହୋତ୍ସବ ପାଇଁ ଆବଶ୍ୟକ ପାଣ୍ଠି ସଂଗ୍ରହର ଶୁଭାରମ୍ଭ କରିଛନ୍ତି। ଏଥିରେ ବ୍ଲକ ବରିଷ୍ଠ ନାଗରିକ ସଂଘର ସମ୍ପାଦକ ତଥା ହିମଗିରି କଳାପରିଷଦ ର ସମ୍ପାଦକ ପତିତପାବନ ରାଉତ ପ୍ରଥମ ପାଣ୍ଠି ଦାନ କରିଛନ୍ତି।
ପ୍ରକାଶ ଯେ, ଗୋଟିଏ ଦଶନ୍ଧି ଧରି ଦାରିଙ୍ଗବାଡିରେ ଶୀତ ମହୋତ୍ସବ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ଅନ୍ୟ ବର୍ଷ ତୁଳନାରେ ଆହୁରି ବ୍ୟାପକ ଓ ଉତ୍ସବମୁଖର କରିବାକୁ ବିଡ଼ିଓ ରଥ ଘୋଷଣା କରିଛନ୍ତି । ଜିଲା ପ୍ରଶାସନ, କନ୍ଧମାଳ ଏମପି ଏବଂ ଜିଲା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସହଯୋଗ ସହ ଅଞ୍ଚଳର ହୋଟେଲ, ବଣିକ ସଙ୍ଘ ସମେତ ବିଭିନ୍ନ ବିଭାଗ ଓ ଅନୁଷ୍ଠାନର ସହଯୋଗରେ ଏହି ମହୋତ୍ସବକୁ ଧୁମଧାମ ରେ ପାଳନ ପାଇଁ ଯୋଜନା ରହିଥିବା ବିଡ଼ିଓ କହିଛନ୍ତି। ଏହି ପୂଜାର୍ଚ୍ଚନା ସମୟରେ ରାଜସ୍ୱ ନିରୀକ୍ଷକ ଦୁର୍ଗା ପ୍ରସାଦ ପ୍ରଧାନ, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ଅତିରିକ୍ତ ତହସିଲଦାର ଦୁଃଶାସନ ସ୍ବାଇଁ, ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର ରଥ, କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ପ୍ରଧାନ,ବିପିସି ଜଗନ୍ନାଥ ରଥ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲି, ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ, ପତିତପାବନ ରାଉତ, ଭାଜପା ମଣ୍ଡଳ ସଭାପତି ମିଟୁ ସାହୁ, ହୋଟେଲ ସଙ୍ଘ ର ଦିଲୀପ କୁମାର ସାହୁ, ଭାଲୁ ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ଓ ଗ୍ରାମବାସୀ ଉପସ୍ଥିତ ଥିଲେ