ବାଲ୍ୟ ବିବାହ ପାଇଁ ଚାଲିଥିଲା ପ୍ରସ୍ତୁତି, ପହଞ୍ଚିଗଲା ପ୍ରଶାସନ: ଆଉ ତା’ପରେ…

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ନଅଗାଁ(କ) ଗ୍ରାମରେ ଫେବୃଆରୀ ୨ରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ଶନିବାର ରୋକିଛି ଜିଲା ପ୍ରଶାସନ। ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ପୋଲିସ ଉପସ୍ଥିତିରେ ଆଗଲପୁର ବ୍ଳକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶୁଭଶ୍ରୀ ମିଶ୍ର,ଜିଲା ଶିଶୁ ସୁରକ୍ଷା ୟୁନିଟ, ଶିଶୁ ସୁରକ୍ଷା କେନ୍ଦ୍ରର ଡିପିସି ସୁବୋଧ କୁମାର ପଧାନ,ପଚାୟତ କାର୍ଯ୍ୟର୍ନିବାହୀ ଅଧିକାରୀ ଜ୍ଞାନରଞ୍ଜନ ଦାସ,ପଲ୍ଲୀ ଆଲୋକ ପାଠାଗାର ସାମାଜିକ କର୍ମୀ ପ୍ରହ୍ଲାଦ ପଧାନ,ନମିତା ପଧାନ, ସ୍ଥାନୀୟ ଅଙ୍ଗନଓ୍ବାଡି କର୍ମୀ ସୁମିତ୍ରା ସାହୁ, ୱାଡସଭ୍ୟ ଶୁଭମ ଜେନା ଓ ଅନ୍ୟାନ୍ୟ ବ୍ୟକ୍ତି ନାବାଳିକାଙ୍କ ଘରକୁ ଯାଇଥିଲେ। ଏହି ଟିମ ନାବାଳିକାଙ୍କ ଅଭିଭାବକ ଓ ପରିବାର ସଦସ୍ୟଙ୍କୁ ସାକ୍ଷାତ କରି କାଉନସେଲିଂ କରିଥିଲେ। ନାବାଳିକାଙ୍କୁ ବିବାହ ଦେବା ଦ୍ବାରା ତାଙ୍କ କ୍ଷେତ୍ରରେ ଘଟିବାକୁ ଥିବା ଶାରିରୀକ,ମାନସିକ ଓ ସାମାଜିକ କୁପରିଣାମ ବିଷୟରେ ବୁଝାଇଥିଲେ । ଏହାସହିତ ବାଲ୍ୟ ବିବାହ ନିଷେଧ ଆଇନ ୨୦୦୬ ସମ୍ପର୍କରେ ଉକ୍ତ ଟିମ ଅବଗତ କରିଥିଲେ। ଏହାଛଡ଼ା କନ୍ୟା ଶିକ୍ଷାର ଗୁରୁତ୍ୱ ଓ ସରକାରୀ କଲ୍ୟାଣମୂଳକ ଯୋଜନା ଗୁଡିକ ବିଷୟରେ ମଧ୍ୟ ଅବଗତ କରାଯାଇଥିଲେ।

 

Dharitri – Odisha’s No.1 Odia Daily