ଝାଡୁ ମାରିଲେ ତହସିଲଦାର: ସାଧାରଣତନ୍ତ୍ର ଦିବସ ପାଇଁ ଜୋରଦାର ପ୍ରସ୍ତୁତି

ଦାରିଙ୍ଗବାଡି,୨୫।୧(ଅରୁଣ ସାହୁ):ସାଧାରଣତନ୍ତ୍ର ଦିବସ ପାଳନ କରାଯିବା ପାଇଁ ଚାରିଆଡେ ପ୍ରସ୍ତୁତି ଜୋରଦାର ଚାଲିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡିରେ ମଧ୍ୟ ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଉଛି। ଶନିବାର ସକାଳ ସମୟରେ ତହସିଲଦାର ଶରତ ଶବରଙ୍କ ନେତୃତ୍ୱରେ ଜାତୀୟ ଦିବସ ପାଳନ କମିଟିର କର୍ମକର୍ତ୍ତା ଓ ସଦସ୍ୟମାନେ ଦାରିଙ୍ଗବାଡିର ବିଭିନ୍ନ ସ୍ଥାନକୁ ଝାଡୁ ମାରି ସଫେଇ କରିଛନ୍ତି। ତହସିଲଦାର ନିଜେ ହାତରେ ଝାଡୁ ଧରି ସଫେଇ ଦାୟିତ୍ୱ ନିଜ ହାତକୁ ନେଇଛନ୍ତି।
ପ୍ରକାଶ ଯେ, ଦାରିଙ୍ଗବାଡିର ହେଲିପ୍ୟାଡ଼ ପଡିଆରେ ରବିବାର ଏହି ଦିବସ ପାଳନ କରାଯିବ। ସାମୂହିକ ପ୍ୟାରେଡ ସହ ସାଂସ୍କୃତିକ କାର୍ଯ୍ୟକ୍ରମ, ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ରଙ୍କୁ ପୁରସ୍କାର ବଣ୍ଟନ ଆଦି କାର୍ଯ୍ୟକ୍ରମ ରହିଛି। ଜାତୀୟ ପତାକାକୁ ତହସିଲଦାର ଶରତ ଶବର ଉତ୍ତୋଳନ କରିବେ ବୋଲି ନିଷ୍ପତି ହୋଇଛି। ସେହିପରି ଆଇନଶୃଙ୍ଖଳା ପରିସ୍ଥିତିର ତଦାରଖ ପାଇଁ ଆଇଆଇସି କନକ କୁମାର ମାଝୀ ସଦଳବଳ ଏହାର ଦାୟିତ୍ୱରେ ଅଛନ୍ତି।