ନୂଆଦିଲ୍ଲୀ,୨୫।୫: ରାଗରେ ନିଆଁବାଣ ହେଲେ ପଞ୍ଜାବ କିଙ୍ଗ୍ସ ମାଲିକାଣୀ ତଥା ଅଭିନେତ୍ରୀ ପ୍ରୀତି ଜିଣ୍ଟା। ଦିଲ୍ଲୀ ବିପକ୍ଷ ମ୍ୟାଚ୍ ସମୟରେ ହୋଇଥିବା ଏକ ବଡ଼ ଭୁଲ ଯୋଗୁ ସେ ଚିହିଁକି ଉଠିଥିଲେ। ଏହା ପଛରେ ଦଳର ପରାଜୟ ଥିବା କୁହାଯାଉଥିଲେ ହେଁ ତାହା ଠିକ୍ ନୁହେଁ। ପଞ୍ଜାବ ଇନିଂସର ୧୫ତମ ଓଭରରେ ଘଟିଥିବା ଏକ ଘଟଣା ଏହା ପଛରେ ରହିଛି।
୧୫ ଓଭରର ୫ମ ବଲରେ ଦିଲ୍ଲୀ କ୍ୟାପିଟାଲ୍ସୁ ବୋଲର ମୋହିତ ଶର୍ମାଙ୍କ ବଲ୍ରେ ପଞ୍ଜାବ ବ୍ୟାଟ୍ସମ୍ୟାନ ଶଶାଙ୍କ ସିଂ ବଡ଼ ଶଟ୍ ଖେଳିବାକୁ ଚାହିଁଥିଲେ। ଏହା ଛକା ହେବ ବୋଲି ଆଶା କରାଯାଉଥିଲା। ହେଲେ କରନ ନାୟାର ରୋକିବାକୁ ଚେଷ୍ଟା କରିଥିଲେ। ଏସବୁରେ ତାଙ୍କ ଗୋଡ଼ କିନ୍ତୁ ବାଉଣ୍ଟ୍ରି ଲାଇନ୍କୁ ଛୁଇଁ ଦେଇଥିଲା। କରନ୍ ଏହାକୁ ଛକା କହିଥିଲେ ହେଁ ମାମଲା ଥାର୍ଡ ଅମ୍ପାୟାର ନିକଟରେ ପହଞ୍ଚିଥିଲା। ପରେ ଅମ୍ପାୟାର ଏହା ଛକା ନୁହେଁ ବୋଲି କହିଥିଲେ। ଫଳରେ ପଞ୍ଜାବକୁ ୬ ବଦଳରେ ୧ ରନ୍ ମିଳିଥିଲା।
ପଞ୍ଜାବ ସହ ହୋଇଥିବା ଅନ୍ୟାୟକୁ ନେଇ ପ୍ରୀତି ଜିଣ୍ଟା ମ୍ୟାଚ୍ ପରେ ହଙ୍ଗାମା କରିଥିଲେ। ଏଭଳି ଭୁଲ ପାଇଁ ଆଇପିଏଲ୍ରେ କୌଣସି ସ୍ଥାନ ରହିବା ଉଚିତ ନୁହେଁ ବୋଲି ସେ କହିଥିଲେ। ନିଜର ଏକ୍ସରେ ସେ ଲେଖିଛନ୍ତି, ଆଇପିଏଲ୍ ଭଳି ହାଇ ପ୍ରୋଫାଇଲ ଟୁର୍ନାମେଣ୍ଟରେ, ଏତେ ସବୁ ଟେକ୍ନୋଲୋଜି ଥିବା ସତ୍ତ୍ୱେ ଥାର୍ଡ ଅମ୍ପାୟାର ଏତେ ବଡ଼ ଭୁଲ କରିବାକୁ ବରଦାସ୍ତ କରାଯିବ ନାହିଁ। ଏଭଳି ହେବା ଉଚିତ ନୁହେଁ। ଖେଳ ଶେଷ ହେବା ପରେ କରନ ତାଙ୍କୁ ଛକା ହୋଇଥିବା ସ୍ପଷ୍ଟ କରିଥିବା ସେ କହିଥିଲେ।
କହିବାକୁ ଗଲେ ଦିଲ୍ଲୀ କ୍ୟାପିଟାଲ୍ସ ଏହି ମୁକାବିଲା ଜିତି ନେଇଥିଲା। ଥାର୍ଡ ଅମ୍ପାୟାର ଭୁଲ କରି ନ ଥିଲେ ପଞ୍ଜାବର ବିଜୟ ସମ୍ଭାବନା ଏହି ମ୍ୟାଚ୍ରେ ଅଧିକ ଥିଲା। ହେଲେ ଥାର୍ଡ ଅମ୍ପାୟାରର ଗୋଟିଏ ନିଷ୍ପତ୍ତି ଯୋଗୁ ପଞ୍ଜାବ ଟପ୍ ୨ରେ ପହଞ୍ଚିବ କି ନାହିଁ ସେ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି।