ଜୟପୁର(ରାଜସ୍ଥାନ),୧୧।୩: ଏକ ମାମଲାରେ ବୟାନ ରେକର୍ଡ କରିବା ବାହାନା ଦେଖାଇ ଜଣେ କନଷ୍ଟେବଲ୍ ଦଳିତ ଗର୍ଭବତୀ ମହିଳାଙ୍କୁ ବଳାତ୍କାର କରିଛନ୍ତି। ଏପରି କି ମହିଳାଙ୍କ ୩ ବର୍ଷର ପୁଅ ସମ୍ମୁଖରେ ବଳାତ୍କାର କରିବା ପରେ ଏନେଇ କାହାରିକୁ କହିଲେ ସ୍ବାମୀଙ୍କୁ ଜେଲରେ ପୂରାଇ ଦେବାକୁ ଧମକ ଦେଇଥିଲେ। ପରେ ମହିଳାଙ୍କ ସ୍ବାମୀଙ୍କ ଅଭିଯୋଗ ଆଧାରରେ ଜୟପୁର ସାଙ୍ଗନେର ପୋଲିସ ସମ୍ପୃକ୍ତ କନଷ୍ଟେବଲଙ୍କୁ ଗିରଫ କରିଛି। ଅଭିଯୁକ୍ତ କନଷ୍ଟେବଲ୍ ହେଉଛନ୍ତି ସାଙ୍ଗନେର ପୋଲିସ ଷ୍ଟେଶନରେ କାର୍ଯ୍ୟରତ ଭାଗରାମ। ଅଭିଯୁକ୍ତଙ୍କୁ ରବିବାର ଗିରଫ କରାଯିବା ସହ ପରବର୍ତ୍ତୀ ତଦନ୍ତ ଚାଲିଛି ବୋଲି ସାଙ୍ଗନେର ଆସିଷ୍ଟାଣ୍ଟ ପୋଲିସ କମିଶନର(ଏସିପି) ବିନୋଦ କୁମାର ଶର୍ମା କହିଛନ୍ତି। ଏହି ଘଟଣା ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଘଟିଥିବାରୁ ମହିଳାଙ୍କ ସୁରକ୍ଷାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ପ୍ରଶ୍ନ ଉଠାଇଛନ୍ତି।
ସୂଚନା ଅନୁସାରେ, ପଡ଼ୋଶୀଙ୍କ ସହ ଗଣ୍ଡଗୋଳ ଘଟଣାରେ ଅଭିଯୋଗକାରୀ ଥାନାରେ ଶୁକ୍ରବାର ଏକ ଅଭିଯୋଗ କରିଥିଲେ। ଶନିବାର ଅଭିଯୋଗକାରୀ ତଥା ପୀଡ଼ିତାଙ୍କ ସ୍ବାମୀ କାମକୁ ଯାଇଥିବାବେଳେ ଅଭିଯୁକ୍ତ କନଷ୍ଟେବଲ ଭାଗରାମ ଉକ୍ତ ମାମଲାରେ ବୟାନ ରେକର୍ଡ ପାଇଁ ମହିଳାଙ୍କୁ ଫୋନ କରି ଏକ ହୋଟେଲକୁ ଡାକିଥିଲେ। ମହିଳା ଜଣକ ଗର୍ଭବତୀ ଥିବାରୁ ତାଙ୍କୁ ଏବଂ ତାଙ୍କ ୩ବର୍ଷର ପୁଅକୁ ଅଭିଯୁକ୍ତ କନଷ୍ଟେବଲ ମୋଟର ସାଇକେଲରେ ହୋଟେଲକୁ ନେଇଥିଲେ। ସେଠାରେ ମହିଳାଙ୍କୁ ଏକ ରୁମ୍କୁ ନେଇ ବୟାନ ରେକର୍ଡ କରିବା ପରିବର୍ତ୍ତେ ମହିଳାଙ୍କୁ ତାଙ୍କ ପୁଅ ସମ୍ମୁଖରେ ବଳାତ୍କାର କରିଥିଲେ। ମହିଳା ଏହାକୁ ବିରୋଧ କରିବାରୁ ଘଟଣା ସମ୍ପର୍କରେ କାହାରିକୁ ଜଣାଇଥିଲେ ତାଙ୍କ ସ୍ବାମୀଙ୍କୁ ଜେଲରେ ପୂରାଇେଦେବେ ବୋଲି ଧମକ ଦେଇଥିଲେ। ପୀଡ଼ିତାଙ୍କ ଡାକ୍ତରୀମାଇନା କରାଯିବା ସହ ଅଭିଯୁକ୍ତ ଭାଗରାମଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଏସିପି ଶର୍ମା କହିଛନ୍ତି।
ଅପରପକ୍ଷରେ ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ଘଟଣାଟି ମୁଖ୍ୟମନ୍ତ୍ରୀ ଭଜନଲାଲ୍ ଶର୍ମାଙ୍କ ନିର୍ବାଚନମଣ୍ଡଳୀରେ ଘଟିଥିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଗେହଲଟ ରାଜ୍ୟରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ମହିଳା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଜଣେ ଦଳିତ ଗର୍ଭବତୀ ମହିଳାଙ୍କୁ ପୋଲିସ କନଷ୍ଟେବଲ ବଳାତ୍କାର କରିବା ଘଟଣା ଅନତ୍ୟନ୍ତ ନିନ୍ଦନୀୟ। ରାଜ୍ୟରେ ମହିଳାମାନେ ସୁରକ୍ଷିତ ନୁହନ୍ତି ବୋଲି ଗେହଲଟ କହିଛନ୍ତି। ଏଥିସହ ଅଭିଯୁକ୍ତ କନଷ୍ଟେବଲଙ୍କୁ ତୁରନ୍ତ ଚାକିରିରୁ ବହିଷ୍କୃତ କରିବାକୁ ଦାବି କରିଛନ୍ତି।