ପ୍ରୀତି ନାୟକ ଖେମୁଣ୍ଡି କଲେଜ ଟପ୍ପର

ଦିଗପହଣ୍ଡି,୨୧।୫(ଅଶେଷ ନାଥ ମିଶ୍ର): ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ୨ ଦ୍ୱିତୀୟ ବର୍ଷ ବିଜ୍ଞାନ ଓ କଳା ବିଭାଗର ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। ବିଜ୍ଞାନ ବିଭାଗରେ ଖେମୁଣ୍ଡି କଲେଜ ଛାତ୍ରୀ ପ୍ରୀତି ନାୟକ ସର୍ବାଧିକ ୫୩୫ ନମ୍ବର ରଖି କଲେଜ ଟପ୍ପର ହୋଇଛନ୍ତି। ଏନେଇ ଅଧ୍ୟକ୍ଷ ଡ. ଅସିତ କୁମାର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ପ୍ରୀତି ସାନଖେମୁଣ୍ଡି ବ୍ଲକ ସିଙ୍ଗିପୁର ଗ୍ରାମର ଭଗବାନ ନାୟକଙ୍କ କନ୍ୟା ଅଟନ୍ତି। ସେ ଦିଗପହଣ୍ଡି ସ୍ଥିତ ସାଇ ଟ୍ୟୁଟୋରିଆଲରେ ଶିକ୍ଷା ଗ୍ରହଣ କରୁଥିଲେ। ବିଜ୍ଞାନ ବିଭାଗରେ ମୋଟ ୨୬୫ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ୧୫୭ ଜଣ ପ୍ରଥମ ଶ୍ରେଣୀରେ, ୬୪ ଜଣ ଦ୍ୱିତୀୟ ଏବଂ ୧୦ ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି। ସେହିଭଳି କଳା ବିଭାଗରେ ଏସ. ତ୍ରୀକ୍ଷାରାଣୀ ଆଚାରୀ ସର୍ବାଧିକ ୪୮୪ ନମ୍ବର ରଖି ଟପ୍ପର ହୋଇଛନ୍ତି। ସେ ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମର ଏସ. ସୁବାରାଓ ଆଚାରୀଙ୍କ କନ୍ୟା ଅଟନ୍ତି। କଳାରେ ସର୍ବମୋଟ ୨୫୬ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ୭୦ ଜଣ ପ୍ରଥମ, ୪୦ ଜଣ ଦ୍ୱିତୀୟ ଏବଂ ୧୧୫ ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି। ଦିଗପହଣ୍ଡି ସରସ୍ବତୀ ବିଦ୍ୟା ମନ୍ଦିର ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶତ ପ୍ରତିଶତ ସଫଳତା ହାସଲ କରିଥିବା ଜଣାପଡିଛି। ସେଠାରେ ୨୨ ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୨୧ ଜଣ ପ୍ରଥମ ଏବଂ ଜଣେ ଦିତୀୟ ଶ୍ରେଣୀରେ ପାସ ହୋଇଥିବା ବେଳେ ପ୍ରାଚୀରାଣୀ ଷଡ଼ଙ୍ଗୀ ସର୍ବାଧିକ ୫୨୫ ନମ୍ବର ରଖି ବିଦ୍ୟା ମନ୍ଦିର ଟପ୍ପର ହୋଇଥିବା ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଦାସ ଜଣାଇଛନ୍ତି।

Share
Tags: odisha