ଟିକାଦାନ ପୂର୍ବରୁ ଅଭ୍ୟାସ: ୧୧୬ ଜିଲାରେ ମକ୍‌ ଡ୍ରିଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨।୧: ଭାରତରେ କରୋନା ଟିକାକରଣ ପୂର୍ବରୁ ସମସ୍ତ ବ୍ୟବସ୍ଥାର ତଦାରଖ ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଶନିବାରଠାରୁ ଟିକାକରଣ ଅଭ୍ୟାସ (ମକ୍‌ ଡ୍ରିଲ୍‌) ଆରମ୍ଭ କରାଯାଇଛି। ପୂର୍ବରୁ ପଞ୍ଜାବ, ଆସାମ, ଗୁଜରାଟ ଏବଂ ଆନ୍ଧ୍ରପ୍ରଦେଶ ଆଦି ୪ ରାଜ୍ୟରେ ୪୮ ଘଣ୍ଟିଆ ମକ୍‌ ଡ୍ରିଲ୍‌ କରାଯାଇଥିଲା। ମାତ୍ର ଏବେ ସମସ୍ତ ରାଜ୍ୟରେ ଟିକାକରଣ ଅଭ୍ୟାସ କରାଯାଉଛି। ଦେଶର ୧୧୬ ଜିଲାର ୨୫୯ ଅଞ୍ଚଳରେ ଏହା ଆରମ୍ଭ କରାଯିବ। ଦେଶବ୍ୟାପୀ ମକ୍‌ ଡ୍ରିଲ୍‌ରେ ପ୍ରତି ରାଜ୍ୟର ୨ଟି ସହରକୁ ଚିହ୍ନଟ କରାଯିବ। ପ୍ରକୃତ ଟିକାଦାନ ପୂର୍ବରୁ ଚିହ୍ନଟ ହୋଇଥିବା ସହରରେ ମକ୍‌ ଡିଲ୍‌ରେ ଏକ ଅଭ୍ୟାସ କରାଯିବ ବୋଲି ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଦିଲ୍ଲୀର ଦରିଆଗଞ୍ଜ୍‌ରେ ମକ୍‌ ଡ୍ରିଲ୍‌ ଆରମ୍ଭ ହୋଇଛି। ଜିଟିବି ହସ୍ପିଟାଲରେ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ପହଞ୍ଚି ଏହାର ତଦାରଖ କରିଛନ୍ତି। ସେହିପରି ଦିଲ୍ଲୀର ଭେଙ୍କେଟେଶ୍ୱର ହସ୍ପିଟାଲରେ ମଧ୍ୟ ଟିକାଦାନ ଅଭ୍ୟାସ ଆରମ୍ଭ ହୋଇଛି। ଏଥିରେ ଲୋକଙ୍କୁ ଟିକାଦାନ କରା ନ ଗଲେ ମଧ୍ୟ ଅନ୍ୟ ସମସ୍ତ ପ୍ରକ୍ରିୟାକୁ ଭଲ ଭାବେ ଯାଞ୍ଚ୍‌ କରାଯିବ। ମକ୍‌ ଡ୍ରିଲ୍‌ ଜିଲା ହସ୍ପିଟାଲ ସମେତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଘରୋଇ ହସ୍ପିଟାଲ ଆଦିରେ ଅନୁଷ୍ଠିତ ହେଉଛି।

Share