‘ମସଜିଦ୍‌ରେ ଆଜାନ ପାଇଁ ଲାଉଡସ୍ପିକର ଲଗାଇବା ମୌଳିକ ଅଧିକାର ନୁହେଁ’

ନୂଆଦିଲ୍ଲୀ,୬।୫: ସାରା ଦେଶରେ ଲାଉଡସ୍ପିକର ବିବାଦ ମଧ୍ୟରେ ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ମସଜିଦ୍‌ରେ ଆଜାନ ପାଇଁ ଲାଉଡସ୍ପିକର ବ୍ୟବହାର କରିବା ଏକ ମୌଳିକ ଅଧିକାର ନୁହେଁ ବୋଲି ଆହ୍ଲାବାଦ ହାଇକୋର୍ଟ କହିଛନ୍ତି। ଲାଉଡସ୍ପିକର ବ୍ୟବହାର ପାଇଁ ଅନୁମତି ମାଗିଥିବା ନୁରୀ ମସଜିଦର ମୁତୱାଲୀଙ୍କ ଆବେଦନକୁ ଖାରଜ କରି କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି।
ସୂଚନାଯୋଗ୍ୟ, ବିସୌଲି ତହସିଲର ଦୌରାନପୁର ଗାଁର ନୁରୀ ମସଜିଦର ମୁତୱାଲୀ ଇରଫାନ ମୌଳିକ ଅଧିକାର ଅନୁଯାୟୀ ମସ୍‌ଜିଦ୍‌ରେ ଆଜାନ ପାଇଁ ଲାଉଡସ୍ପିକର ଲଗାଇବାକୁ ଅନୁମତି ଦେବାକୁ କୋର୍ଟରେ ଆବେଦନ କରିଥିଲେ। କୋର୍ଟ କିନ୍ତୁ ଅନୁମତି ଦେବାକୁ ମନା କରିଦେଇଥିଲେ।
ଜଷ୍ଟିସ ବିବେକ କୁମାର ବିର୍ଲା ଏବଂ ଜଷ୍ଟିସ ବିକାଶଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରି ଆଜାନ ପାଇଁ ମସଜିଦରେ ଲାଉଡସ୍ପିକର ବ୍ୟବହାର ମୌଳିକ ଅଧିକାର ଅଧୀନରେ ଆସେ ନାହିଁ। ଏହି ମାମଲାରେ ହସ୍ତକ୍ଷେପ କରିବାକୁ କୋର୍ଟ ମନା କରି ଦେଇଛନ୍ତି। ଏହା ସହିତ କୋର୍ଟ ଏହି ପିଟିସନରେ ଦିଆଯାଇଥିବା ଦାବିକୁ ଭୁଲ ବୋଲି କହି ଆବେଦନକୁ ଖାରଜ କରିଦେଇଥିଲେ।