ବିଜେଡି ପାଇଁ ବୋଝ ନୁହେଁ ଆସେଟ୍‌ ଥିଲେ ପ୍ରଭାତ; ଅମରଙ୍କ ବୟାନଙ୍କୁ ନେଇ…

ଭୁବନେଶ୍ୱର,୧୦।୪: ୱକଫ୍‌ ବିଲ୍‌ରେ ଦ୍ୱିମତକୁ ନେଇ ବିଜେଡିରେ ଅନ୍ତଃକନ୍ଦଳ ସୃଷ୍ଟି ହୋଇଥିବା ବେଳେ ସୁପ୍ରିମ ନବୀନ ପଟ୍ଟନାୟକଙ୍କ ବୟାନ ନିଆଁରେ ଘିଅ ଢ଼ାଳିବା ଭଳି ହୋଇଛି। ଏବେ ଏନେଇ ମୁହଁ ଖୋଲିଛନ୍ତି ବରିଷ୍ଠ ନେତା ଅମର ଶତପଥୀ। ସେ ସମ୍ପୂର୍ଣ୍ଣ ଭୋଟିଂ ଘଟଣାବଳୀକୁ ରହସ୍ୟମୟ ବୋଲି କହିଛନ୍ତି।

ଅମର କହିଛନ୍ତି ଯେ, ମୁଁ ବିଜେଡି ଭିତରେ ନାହିଁ, ତାଙ୍କ ଦଳ ବାବଦରେ କହିବି ନାହିଁ। ମାତ୍ର ୱକଫ୍‌ ଭୋଟିଂକୁ ନେଇ ସବୁ ରହସ୍ୟମୟ। ସଂସଦୀୟ ବ୍ୟବସ୍ଥାରେ ବିରୋଧ, ସମର୍ଥନ ରହିଛି। ମାତ୍ର ବିବେକାନୁମୋଦିତ ମତ ଦେବା କଥା ମୁଁ ଜାଣିନି। ଯେହେତୁ ଏହା ଏବେ ଜାତୀୟ ପ୍ରସଙ୍ଗ, ସମସ୍ତେ ମତ ରଖିପାରିବେ। ଭ୍ରମିତ ପାଇଁ ଉଦ୍ୟମ ହେଉଛି, ପର୍ଦ୍ଦା ଉଠିବା ଉଚିତ। ପ୍ରସଙ୍ଗ ଏଡ଼ାଇବା ପାଇଁ ପ୍ରଭାତଙ୍କୁ ବଲି କା ବକରା କରାଯାଇଛି। ନବୀନ ବାବୁଙ୍କ ମୁହଁରେ ଏହା ଶୋଭା ପାଏ ନାହିଁ। ନିଲମ୍ବନ, ବହିଷ୍କାର ଭିନ୍ନ କଥା, ନବୀନ କିପରି ଏକ୍ସପେଲ୍ଡ କହିପାରିଲେ। କାରଣ ପ୍ରେସ ରିଲିଜରୁ ଜଣାପଡ଼ୁଛି ନିଲମ୍ବନ ଥିଲା ଓ ପ୍ରତ୍ୟାହୃତ ହୋଇଥିଲା। ମୁଁ ଯେତିକି ଜାଣିଛି ପ୍ରଭାତ ତ୍ରିପାଠୀ ବିଜେଡି ପାଇଁ ବୋଝ ନ ଥିଲେ। ସେ ବିଜେଡି ପାଇଁ ଆସେଟ ଥିଲେ। ସେ ମଧ୍ୟ ତାହା ପ୍ରମାଣିତ କରିଛନ୍ତି ବୋଲି ଅମର କହିଛନ୍ତି।

ୱକଫ୍‌ ବିଲ ପ୍ରସଙ୍ଗରେ ଭି.କେ. ପାଣ୍ଡିଆନଙ୍କୁ ନେଇ ଆକ୍ଷେପ କରିବା ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ମହଙ୍ଗା ପଡ଼ିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଖୋଲାଖୋଲିି ଭାବେ ଗଣମାଧ୍ୟମ ସମ୍ମୁଖରେ ପ୍ରଭାତ ଦଳର କେହି ନୁହନ୍ତି ବୋଲି କହିବା ସହ ଚିଟଫଣ୍ଡ ମାମଲାରେ ସେ ଜେଲ ଯିବା କଥା କହିଛନ୍ତି। ଏହି ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମରେ ପ୍ରଭାତଙ୍କ ଉପରୁ ୨୦୧୭ରେ ବିଜେଡି ପକ୍ଷରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇଥିବା ଏକ ଚିଠି ଘୂରି ବୁଲୁଛି। ୨୦୧୭ ନଭେମ୍ବର ୧୦ରେ ବିଜେଡି ପକ୍ଷରୁ ରାଜ୍ୟ ସମ୍ପାଦକ ବିଜୟ ନାୟକ ଉକ୍ତ ଚିଠିରେ ଦର୍ଶାଇଛନ୍ତି ଯେ, ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ବାଙ୍କୀ ବିଧାୟକ ପ୍ରଭାତ ତ୍ରିିପାଠୀଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିଛନ୍ତି। ତେବେ ପ୍ରଶ୍ନ ଉଠୁଛି, ଯଦି ପ୍ରଭାତ ବିଜେଡିରେ ଏବେଯାଏ ଥିଲେ ତେବେ ସେ ଦଳରେ ନ ଥିଲେ ବୋଲି ନବୀନ କିଭଳି ଗଣମାଧ୍ୟମ ଆଗରେ କହିଲେ। ବାସ୍ତବରେ ପ୍ରଭାତଙ୍କ ନିଲମ୍ବନ କଥା ବିଜେଡି ସୁପ୍ରିମୋ ଜାଣିଛନ୍ତି କି ନା ତାହାକୁ ନେଇ ରାଜନୈତିକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ବିଜେଡିର ରାଜ୍ୟ ସଭା ସଦସ୍ୟ ଓ ଅନ୍ୟ ବରିଷ୍ଠ ନେତାମାନେ ପାଣ୍ଡିଆନଙ୍କୁ ନେଇ ଯେଉଁ ଆକ୍ଷେପ କରିଛନ୍ତି ସେନେଇ ତାଙ୍କ ଉପରେ ଦଳ ପକ୍ଷରୁ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ହେଉଛି ତାହାକୁ ନେଇ ଚର୍ଚ୍ଚା ବଢ଼ିଲାଣି।

Share