ଦିଗପହଣ୍ଡି,୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମ ସ୍ଥିତ ରାଜାରାଜୁଡ଼ା ଅମଳର ସାନନ୍ଦ ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ରବିବାର ଉଦଯାପିତ ହୋଇଯାଇଛି । ଏଥି ଉପଲକ୍ଷେ ସାନଖେମୁଣ୍ଡି ରାଜା ସାହେବ ବୀର କିଶୋର ଦେବଙ୍କ ପୌରହିତରେ ଗତ ୨୨ ତାରିଖ ଠାରୁ ଆରମ୍ଭ ହୋଇଥିବା ମହାଯଜ୍ଞ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ପୂର୍ଣ୍ଣାହୁତି ହୋଇଛି।ଗତ ୧୬୪୨ ମସିହାରେ ଖେମୁଣ୍ଡି ରାଜ୍ୟର ତତ୍କାଳୀନ ରାଜା ଅନନ୍ତ କେଶରୀ ଦେବ ଶ୍ରୀ ଜିଉଙ୍କ ବିଗ୍ରହ ନିର୍ମାଣ କରି ଗ୍ରାମର ମା ‘ ମାଣିକେଶ୍ଵରୀ ଙ୍କ ମନ୍ଦିର ପାର୍ଶ୍ଵ ରେ ଏକ ଅସ୍ଥାୟୀ ଚାଳ ଛପର ଘରେ ଶ୍ରୀ ଜୀଉ ଙ୍କୁ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। ପରେ ଝିକର ଖଚିତ ନୂତନ ମନ୍ଦିର ତୋଳା ଯାଇଥିଲା।
୧୭୬୪ ରେ ତତ୍କାଳୀନ ବ୍ରିଟିଶ ଶାସକ ଙ୍କ ସହ ରାଜା ଙ୍କ ଯୁଦ୍ଧ ଆରମ୍ଭ ହୋଇଥିଲା । ଏହି ଯୁଦ୍ଧ ଦୀର୍ଘ ୪୨ ବର୍ଷ ଯାଏଁ ଚାଲିଥିଲା। ୧୮୦୪ ରେ ଇଂରେଜ ସୈନ୍ୟବାହିନୀ ପ୍ରତାପଗିରି ଗଡ ଉପରେ ଅତର୍କିତ ଆକ୍ରମଣ କରି ରାଜବାଟି ସମେତ ଶ୍ରୀ ଜଗନ୍ନାଥ ମନ୍ଦିର ଉପରେ ପ୍ରବଳ ବାରୁଦ ଗୋଳା ମାଡ଼ କରି ଧ୍ବସ୍ତ ବିଧ୍ବସ୍ତ କରି ଦେଇଥିଲେ। ପରେ ତତ୍କାଳୀନ ରାଜା ଚନ୍ଦ୍ରମଣି ଦେବ ଓ ଇଂରେଜ ଶାସକଙ୍କ ସହ ସନ୍ଧି ହୋଇଥିଲା। ଚୁକ୍ତି ପ୍ରକାରେ ରାଜା ତାଙ୍କ ରାଜଧାନୀକୁ ପୋଡ଼ାମାରି ଗ୍ରାମକୁ ସ୍ଥାନାନ୍ତର କରିଥିଲେ। ୧୮୦୭ ଶ୍ରୀ ବିଗ୍ରହ ମାନଙ୍କୁ ନୂତନ ରାଜଧାନୀ ପୋଡ଼ାମାରି ଗ୍ରାମରେ ନିର୍ମିତ ମନ୍ଦିରକୁ ନେବା ରାସ୍ତାରେ ପାଟପୁର ନିକଟ ଭୀମନଗର ଗାଁରେ ରାତି ହୋଇଯାଇଥିଲା। ରାଜାଙ୍କୁ ସ୍ୱପ୍ନାଦେଶ ହୋଇଥିଲା। ଶ୍ରୀ ଜଗନ୍ନାଥ ପ୍ରତାପଗିରି ଗଡ ମନ୍ଦିରରେ ହିଁ ରହି ଲୀଳା ଖେଳା କରିବା ପାଇଁ ଚାହିଁଥିଲେ। ସକାଳେ ଦଇତାପତି ମାନେ ଶ୍ରୀ ବିଗ୍ରହ ମାନଙ୍କୁ ପହଣ୍ଡି ବିଜେ କରାଇ ପୂଜାର୍ଚ୍ଚନା କରିବା ପରେ ଶ୍ରୀ ଜଗନ୍ନାଥ ପ୍ରତାପଗିରି ଗ୍ରାମ ରାସ୍ତା ପଟକୁ ଢ଼ଳି ରହିଥିଲେ।
ସେଠାରୁ ତାଙ୍କ ଶଗଡ଼ ପୋଡ଼ାମାରି ଗାଁ ପଟକୁ ଆଦୌ ଗଡ଼ି ନଥିଲା। ରାଜାଙ୍କ ନିର୍ଦ୍ଦେଶକ୍ରମେ ପୁଣି ଶ୍ରୀଜୀଉମାନଙ୍କୁ ପ୍ରତାପଗିରି ଗ୍ରାମ ମନ୍ଦିରକୁ ଅଣାଯାଇଥିଲା। ୧୯୯୦ ମସିହାରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରବଳ ବର୍ଷା ଯୋଗୁଁ ଭାଙ୍ଗି ଯାଇଥିଲା। ପରେ ଶ୍ରୀଜିଉମାନଙ୍କୁ ମନ୍ଦିରର ରୋଷ ଘରକୁ ସ୍ଥାନାନ୍ତର କରାଯାଇ ପୂଜାର୍ଚ୍ଚନା କରାଯାଉଥିଲା। ୧୯୯୯ ମହାବାତ୍ୟା ପ୍ରଭାବରେ ମନ୍ଦିର ଭାଙ୍ଗି ଯିବାରୁ ଅଞ୍ଚଳବାସୀଙ୍କ ଅକୁଣ୍ଠ ସହଯୋଗରେ ମନ୍ଦିର ମରାମତି କରାଯିବା ସହ ନୂତନ ଭବ୍ୟ ମନ୍ଦିର ପାଇଁ ଶିଳାନ୍ୟାସ କରାଯାଇଥିଲା। ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ସହଯୋଗରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସମସ୍ତ କାର୍ଯ୍ୟକର୍ତ୍ତା ଓ ଅଞ୍ଚଳବାସୀଙ୍କ ତତ୍ତ୍ଵାବଧାନରେ ଦୀର୍ଘ ୨୬ ବର୍ଷ ପରେ ଶ୍ରୀ ମନ୍ଦିର ନିର୍ମାଣ କାର୍ଯ୍ୟ ସମାପନ ପରେ ପ୍ରତିଷ୍ଠା କରାଯାଇ ଶ୍ରୀଜିଉମାନଙ୍କୁ ରତ୍ନବେଦୀରେ ସ୍ଥାପନ କରାଯାଇଥିବା ଜଣାପଡିଛି ।