ନୂଆଦିଲ୍ଲୀ,୧୧ା୧: ମନୋରଞ୍ଜନ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୩ର ଟାଇଟଲ୍ ଜିତିଥିବା ପ୍ରଖ୍ୟାତ ଗାୟକ ଏବଂ ଅଭିନେତା ପ୍ରଶାନ୍ତ ତମାଙ୍ଗଙ୍କ ଦେହାନ୍ତ ହୋଇଛି । ପ୍ରଶାନ୍ତ ତମାଙ୍ଗ ୨୦୦୭ ରେ ତାଙ୍କ ସୁରରେ ଲକ୍ଷ ଲକ୍ଷ ହୃଦୟ ଜିତିଥିଲେ ଏବଂ ବହୁ ବର୍ଷ ଧରି ସଙ୍ଗୀତ ଏବଂ ଅଭିନୟ ଉଭୟରେ ତାଙ୍କର ପ୍ରମୁଖତା ବଜାୟ ରଖିଥିଲେ । ତେବେ ଆଜି ହଠାତ୍ ତାଙ୍କର ୪୩ ବର୍ଷ ବୟସରେ ହେହାନ୍ତ ହୋଇଛି । ତେବେ ତାଙ୍କ ମୃତ୍ୟୁ ପ୍ରଶଂସକଙ୍କୁ ଏକ ପ୍ରକାର ଝଟକା ଲାଗିଛି ।
ଆଜି ସକାଳେ ପ୍ରଶାନ୍ତ ତମାଙ୍ଗ ହୃଦଘାତର ଶିକାର ହେଲେ ଏବଂ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ହଠାତ୍ ମୃତ୍ୟୁ ଖବର ସଙ୍ଗୀତ ଏବଂ ଚଳଚ୍ଚିତ୍ର ସମ୍ପ୍ରଦାୟକୁ ଶୋକରେ ଡୁବାଇ ଦେଇଛି । ତେବେ ଇଣ୍ଡଷ୍ଟ୍ରର ପ୍ରମୁଖ ଗାୟକ ଏବଂ ଅଭିନେତାମାନେ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ତାଙ୍କ ଅବଦାନକୁ ମନେ ପକାଇଥିଲେ। ପ୍ରଶାନ୍ତ ତମାଙ୍ଗ ସେହି କଳାକାରମାନଙ୍କ ମଧ୍ୟରୁ ଜଣେ ଥିଲେ, ଯେଉଁମାନେ ତାଙ୍କ କଠିନ ପରିଶ୍ରମ, ସ୍ୱର ଏବଂ ଆତ୍ମା ସହିତ ସଙ୍ଗୀତ ପ୍ରେମୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ।
ପ୍ରଶାନ୍ତ ତମାଙ୍ଗ ଜାନୁଆରୀ ୪, ୧୯୮୩ରେ ଦାର୍ଜିଲିଂରେ ଜନ୍ମଗ୍ରହଣ କରିଥିଲେ ଏବଂ ସେ ଜଣେ ନେପାଳୀ-ଭାରତୀୟ ପୃଷ୍ଠଭୂମିରୁ ଆସିଥିଲେ । ସେ ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୩ ଜିତି ତାଙ୍କର ସଙ୍ଗୀତ କ୍ୟାରିଅର୍ ଆରମ୍ଭ କରିଥିଲେ, ଯେଉଁଠାରେ ତାଙ୍କ ଗୀତଗୁଡ଼ିକ ଦର୍ଶକଙ୍କଠାରୁ ବ୍ୟାପକ ପ୍ରଶଂସା ପାଇଥିଲା। ଏହି ଯାତ୍ରା ତାଙ୍କୁ ଜାତୀୟ ସ୍ତରରେ ପରିଚିତି ଆଣିଥିଲା ଏବଂ ସେ ସଙ୍ଗୀତ ଶିଳ୍ପରେ ଏକ ଜଣାଶୁଣା ନାମ ହୋଇଯାଇଥିଲେ। ପ୍ରଶାନ୍ତ ତମାଙ୍ଗ ପୂର୍ବରୁ କୋଲକାତା ପୋଲିସରେ କନଷ୍ଟେବଳ ଭାବରେ କାର୍ଯ୍ୟ କରିଥିଲେ ଏବଂ ପୋଲିସ ଅର୍କେଷ୍ଟ୍ରାରେ ଗୀତ ଗାଇଥିଲେ।